ପ୍ରଧାନମନ୍ତ୍ରୀ ମୋଦୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ, ଲକ୍ଷ୍ନୌରୁ ସ୍କୁଲ ଛାତ୍ର ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗରେ ନୋଏଡା ପୋଲିସ ଶୁକ୍ରବାର ଲକ୍ଷ୍ନୌରୁ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣ ଦ୍ବାଦଶ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି । ସେ ଏକ ମିଡିଆ ହାଉସକୁ ଇମେଲ ପଠାଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା।

ନୋଏଡା ପୋଲିସର ସହକାରୀ କମିଶନର ରଜନୀଶ ବର୍ମା କହିଛନ୍ତି ଯେ, ଶୁକ୍ରବାର ସକାଳେ ରାଜଧାନୀ ଲକ୍ଷ୍ନୌର ଚିନହଟ୍ ଅଞ୍ଚଳରୁ ଜଣେ ୧୬ ବର୍ଷର ବାଳକକୁ ଗିରଫ କରାଯାଇଛି। ବାଳକ ଜଣକ ବିହାର ବାସିନ୍ଦା । ସେ ଜଣେ ଦ୍ୱାଦଶ ଶ୍ରେଣୀର ସ୍କୁଲ ଛାତ୍ର |

ସହକାରୀ ପୋଲିସ କମିଶନର କହିଛନ୍ତି ଯେ ଅଭିଯୁକ୍ତ ବାଳକକୁ ବାଳ ଅଦାଲତରେ ହାଜର କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ ନେଇ ନୋଏଡା ସେକ୍ଟର ୧୬-ଏ ସ୍ଥିତ ଏକ ଚ୍ୟାନେଲର ମ୍ୟାନେଜର ବିଜୟ କୁମାର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ ତାଙ୍କ କମ୍ପାନୀର ସିଏଫଓ କୁଶାନ ଚକ୍ରବର୍ତ୍ତୀଙ୍କ ନିକଟକୁ ଜଣେ ଅଜଣା ବ୍ୟକ୍ତି ଇ-ମେଲ ପଠାଇ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ଅନେକ ଭିଭିଆଇପିଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ପୋଲିସ ସବୁ ଦିଗରୁ ଏହି ଘଟଣାର ତଦନ୍ତ କରିଥିଲା। ଏହି ମାମଲାରେ ତିନି ପୋଲିସ ଟିମ୍ ସହିତ ସାଇବର ଟିମ୍ ମଧ୍ୟ ଏହି କେସରେ କାମ କରିଥିଲେ।

Comments are closed.