ଜ୍ଞାନବାପି ମସଜିଦର ବୈଜ୍ଞାନିକ ସର୍ଭେ କାର୍ଯ୍ୟ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାରାଣାସୀ: ବାରାଣସୀ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜ୍ଞାନବାପି ମସଜିଦ ପରିସରରେ ବୈଜ୍ଞାନିକ ସର୍ଭେ ଆରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ)ର ୪୩ ଜଣିଆ ଟିମ୍ ସୋମବାର ସକାଳ ୭ ଟାରୁ ପରିସରରେ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି | ସର୍ଭେ କାର୍ଯ୍ୟର ଭିଡିଓଗ୍ରାଫି ମଧ୍ୟ କରାଯିବ । ମସଜିଦର ଓ୍ବଜୁଖାନା ବ୍ୟତୀତ ଏଏସ୍ଆଇ ସମଗ୍ର ମସଜିଦ ପରିସରର ସର୍ଭେ କରିବ। ଏଥିପାଇଁ ମସଜିଦ ପରିସର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଏସ୍ଆଇକୁ ଅଗଷ୍ଟ ୪ ତାରିଖ ପୂର୍ବରୁ ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ପଡ଼ିବ।

ସର୍ଭେ ସମୟରେ ଏଏସ୍ଆଇ କର୍ମଚାରୀଙ୍କ ବ୍ୟତୀତ ସବୁ ପକ୍ଷର ଜଣେ ଓକିଲ ଉପସ୍ଥିତ ରହିବେ । ଉଲ୍ଲେଖଯୋଗ୍ୟ ଯେ, ବାରାଣାସୀର ଜିଲ୍ଲା ଜଜ୍ ଜୁଲାଇ ୨୧ରେ ହିନ୍ଦୁ ପକ୍ଷର ଦାବିକୁ ଗ୍ରହଣ କରି ଜ୍ଞାନବାପି ମସଜିଦର ବୈଜ୍ଞାନିକ ସର୍ଭେ ପାଇଁ ଅନୁମତି ଦେଇଥିଲେ। ଏହାପୂର୍ବରୁ ମସଜିଦ ପରିସର ଭିତରେ ‘ଶିବଲିଙ୍ଗ’ ବୋଲି ଦାବି ହେଉଥିବା ଏକ ଢାଞ୍ଚାର ବୈଜ୍ଞାନିକ ସର୍ଭେ ଏବଂ କାର୍ବନ-ଡେଟିଂ ପାଇଁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିଲେ ।

ହିନ୍ଦୁ ପକ୍ଷ ଦାବି କରିଛି ଯେ ଏକ ମନ୍ଦିରକୁ ଭାଙ୍ଗି ଏହି ମସଜିଦ ନିର୍ମାଣ କରାଯାଇଛି। ତେବେ ମୁସଲିମ ପକ୍ଷ ଏହାକୁ ଖଣ୍ଡନ କରିଛି । ଏହି ସର୍ଭେ ଯୋଗୁଁ ମସଜିଦ କ୍ଷତିଗ୍ରସ୍ତ ହୋଇପାରେ ବୋଲି ମୁସଲିମ ପକ୍ଷ କହିଛି ।

ଜ୍ଞାନବାପି ମସଜିଦର ବୈଜ୍ଞାନିକ ସର୍ଭେକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଏହି ମାମଲାର ଶୁଣାଣି ହେବ ।

Comments are closed.