ଆଦାନୀ-ହିଣ୍ଡେନବର୍ଗ ବିବାଦ: ଆଜି ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବ ସେବି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟରେ ହୋଇଥିବା ଅଭିଯୋଗର ତଦନ୍ତ ସମ୍ପର୍କରେ ସେବି ଆଜି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ। ସୂଚନା ଅନୁଯାୟୀ, ଆଦାନୀ ଗ୍ରୁପ୍ ସମ୍ବନ୍ଧରେ ସେବିର ତଦନ୍ତ ଶେଷ ହୋଇଛି। ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସେବିକୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସମୟ ଦେଇଥିଲେ ସୁପ୍ରିମକୋର୍ଟ‌। ସୂଚନା ଅନୁଯାୟୀ, ଏହା ସେବିର ଚୂଡ଼ାନ୍ତ ରିପୋର୍ଟ ହେବ | ଅଗଷ୍ଟ ୨୯ରେ ଏହି ମାମଲାର ଶୁଣାଣି ହେବ।

ଆମେରିକାର ସର୍ଟ ସେଲର ସଂସ୍ଥା ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍ ଉପରେ ଏକ ରିପୋର୍ଟ ଜାରି କରିଥିଲା | ଏଥିରେ ସେୟାର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଆଦାନୀ ଗ୍ରୁପ ବିରୋଧରେ ଗୁରୁତର ଅଭିଯୋଗ କରାଯାଇଥିଲା। ଆଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲା । କିନ୍ତୁ ଏହି ରିପୋର୍ଟକୁ ନେଇ ବହୁ ହଇଚଇ ସୃଷ୍ଟି ହୋଇଥିଲା। ଦୁଇ ମାସ ମଧ୍ୟରେ ସୁପ୍ରିମକୋର୍ଟ ସେବିକୁ ଏନେଇ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଥିଲା। ଚେୟାରମ୍ୟାନ୍ ଗୌତମ ଆଦାନୀ ମଧ୍ୟ ଧନୀ ତାଲିକାରେ ଶ୍ରେଷ୍ଠ ୨୦ ସ୍ଥାନରୁ ବାଦ୍ ପଡ଼ିଥିଲେ ।

Comments are closed.