ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧୩ ରାଜ୍ୟର ୮୯ଟି ଆସନରେ ହେବ ଭୋଟିଂ, ରାହୁଲ ଗାନ୍ଧୀ, ଶଶି ଥରୁରଙ୍କ ସହ ମଇଦାନରେ ଅନେକ ବଡ଼ ନେତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ଟି ରାଜ୍ୟର ୮୯ଟି ଆସନରେ ଭୋଟ୍ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୱାୟନାଡ ଲୋକସଭା ଆସନରେ ମଧ୍ୟ ମତଦାନ ‌ହେବ, ଯେଉଁଠି କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଲଢ଼ୁଛନ୍ତି।

କେରଳର ସମସ୍ତ ୨୦ଟି ଆସନ ବ୍ୟତୀତ ଏହି ପର୍ଯ୍ୟାୟରେ କର୍ଣ୍ଣାଟକର ୨୮ଟି ସିଟ୍ ମଧ୍ୟରୁ ୧୪, ରାଜସ୍ଥାନର ୧୩, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶର ୮-୮ ସିଟ୍, ମଧ୍ୟପ୍ରଦେଶର ୭, ଆସାମ ଏବଂ ବିହାରର ୫-୫ ଆସନ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ ଆସନ, ମଣିପୁର, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ।

ଦ୍ୱିତୀୟ ପର୍ଯ୍ୟାୟରେ ‘ଆଉଟର’ ମଣିପୁରର ଚାରି ପ୍ରାର୍ଥୀଙ୍କ ସହ ମୋଟ ୧୨୦୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଅଭିଯାନ ବୁଧବାର ସନ୍ଧ୍ୟାରେ ଶେଷ ହୋଇଥିଲା।

କଂଗ୍ରେସ ନେତା ଶଶି ଥରୁର, କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଅଭିନେତା ଅରୁଣ ଗୋଭିଲ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଭାଇ ଡି.କେ ସୁରେଶ (କଂଗ୍ରେସ), କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ (ଜେଡିଏସ୍) ପ୍ରମୁଖ ହାଇ ପ୍ରୋଫାଇଲ୍ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ହେବ। ଏହାଛଡ଼ା ବିଜେପି ପ୍ରାର୍ଥୀ ହେମା ମାଳିନୀ, ଓମ ବିର୍ଲା ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବତ ମଧ୍ୟ ନିଜ ନିଜ ନିର୍ବାଚନମଣ୍ଡଳୀରୁ କ୍ରମାଗତ ତୃତୀୟ ଥର ବିଜୟ ଆଶା ରଖିବେ।

ଗତ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫.୫ ପ୍ରତିଶତ ମତଦାନ ହୋଇଥିଲା।

ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପରେ କେରଳ, ରାଜସ୍ଥାନ ଏବଂ ତ୍ରିପୁରାରେ ନିର୍ବାଚନ ଶେଷ ହେବ। ଏପ୍ରିଲ୍ ୧୯ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁ (୩୯), ଉତ୍ତରାଖଣ୍ଡ (୫), ଅରୁଣାଚଳ ପ୍ରଦେଶ (୨), ମେଘାଳୟ (୨), ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ (୧), ମିଜୋରାମ (୧), ନାଗାଲାଣ୍ଡ (୧), ପୁଡୁଚେରୀ (୧)), ସିକ୍କିମ୍ (୧) ଏବଂ ଲକ୍ଷଦ୍ବୀପ (୧)ରେ ନିର୍ବାଚନ ଶେଷ ହୋଇସାରିଛି।

ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୮୯ଟି ଆସନ ମଧ୍ୟରୁ ଏନଡିଏ ୨୦୧୯ ଲୋକସଭା ନିର୍ବାଚନରେ ୫୬ଟି ଏବଂ ୟୁପିଏ ୨୪ ସିଟ୍ ଜିତିଥିଲା। ଏଥିମଧ୍ୟରୁ ୬ଟି ଆସନ ସୀମା ନିର୍ଦ୍ଧାରଣ ପରେ ସୃଷ୍ଟି ହୋଇଛି।

Comments are closed.