ବିଭିନ୍ନ ଦାବି ନେଇ ଆଜି ଦିଲ୍ଲୀରେ ସଂଯୁକ୍ତ କିସାନ ମୋର୍ଚ୍ଚାର କୃଷକ ମହାପଞ୍ଚାୟତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆଜି ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ୱାନରେ ଦିଲ୍ଲୀର ଜନ୍ତର ମନ୍ତରରେ କୃଷକ ମହାପଞ୍ଚାୟତ ହେବ। ଫଳସ୍ୱରୂପ ବିଭିନ୍ନ ରାଜ୍ୟରୁ ଆସିଥିବା କୃଷକମାନେ ଦିଲ୍ଲୀ ଯାଇଛନ୍ତି। ସୂଚନା ଅନୁଯାୟୀ, ଏହା ଏକ ଦିନିକିଆ କାର୍ଯ୍ୟକ୍ରମ ହେବ, ଯାହା ସମ୍ପୂର୍ଣ୍ଣ ଶାନ୍ତି ଏବଂ ଶୃଙ୍ଖଳା ସହିତ ସଂଗଠିତ ହେବ। ଆଜି ଜନ୍ତର ମନ୍ତରରେ କୃଷକଙ୍କ ବିରୋଧ ଡାକରା ପୂର୍ବରୁ ସିଙ୍ଗୁ ସୀମାରେ ସୁରକ୍ଷାକୁ କଡାକଡି କରାଯାଇଛି। ଏହା ସହିତ ରାଜଧାନୀକୁ ଆସୁଥିବା ଯାନବାହାନ ଉପରେ କଡ଼ା ନଜର ରଖାଯାଉଛି |

ଏହି ପଞ୍ଚାୟତ ପୂର୍ବାହ୍ନ ୧୧ ଟାରୁ ୪ ଟା ପର୍ଯ୍ୟନ୍ତ ଜନ୍ତର ମନ୍ତରରେ ଆୟୋଜିତ ହେବ। ଏହି ପଞ୍ଚାୟତ ସମାପ୍ତ ହେବା ପରେ ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରାଯିବ। ସଂଯୁକ୍ତ କିସାନ ମୋର୍ଚ୍ଚା କହିଛନ୍ତି ଯେ ଯଦି ସରକାର କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ସରକାର ଏଥିପାଇଁ ଦାୟୀ ରହିବେ। କୃଷକ ପଞ୍ଚାୟତ ପକ୍ଷରୁ ସରକାରଙ୍କ ସମ୍ମୁଖରେ ଅନେକ ଦାବି ରଖାଯାଇଛି। ଯେଉଁଥିରେ ମୁଖ୍ୟ ଦାବି ହେଉଛି ଲଖିମପୁର ଖେରୀ ହତ୍ୟାକାଣ୍ଡର କୃଷକ ପରିବାରକୁ ନ୍ୟାୟ ଦେବା, କୃଷକମାନଙ୍କୁ ଜେଲରେ ମୁକ୍ତ କରିବା ଏବଂ ଏହି ଘଟଣାର ମୁଖ୍ୟ ଅପରାଧୀ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କୁ ଗିରଫ କରିବା।

ଏହା ସହ ସ୍ବାମିନାଥନ ଆୟୋଗର C2 + 50% ସୂତ୍ର ଅନୁଯାୟୀ ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଏକ ଆଇନ ପ୍ରସ୍ତୁତ କରାଯିବା ଉଚିତ ଏବଂ ଦେଶର ସମସ୍ତ କୃଷକଙ୍କ ଋଣଛାଡ଼ କରାଯିବା ଉଚିତ ବୋଲି ଦାବି କରାଯାଇଛି। ବିଦ୍ୟୁତ୍ ବିଲ୍ ୨୦୨୨ ବାତିଲ୍ କରିବା ମଧ୍ୟ ଦାବି କରାଯାଇଛି | ଚାଷୀଙ୍କ ମୁଖ୍ୟ ଚାହିଦା ହେଉଛି ଯେ ଆଖୁ ର ସହାୟତା ମୂଲ୍ୟ ବୃଦ୍ଧି କରାଯିବା ସହ ଆଖୁର ବକେୟା ରାଶି ତୁରନ୍ତ ପ୍ରଦାନ କରାଯାଉ। ଏଥି ସହିତ କୃଷକ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବା ସହିତ ଅଗ୍ନିପଥ ପ୍ରସଙ୍ଗ ମଧ୍ୟ ସଂଯୁକ୍ତ କିସାନ ମୋର୍ଚ୍ଚାର ଦାବିରେ ସାମିଲ ରହିଛି ।

Comments are closed.