ପାକିସ୍ତାନ କ୍ରିକେଟ୍ ଦଳର ବିଜୟରେ ଖୁସି ମନାଇଥିବା କାଶ୍ମୀର ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ

ଲକ୍ଷ୍ନୌ: ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ନେ଼ଇ ଖୁସି ମନାଇବା ଅଭିଯୋଗରେ ଆଗ୍ରାର ତିନି ଜଣ କାଶ୍ମୀରୀ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ବୁଧବାର ଏହି ଛାତ୍ରମାନଙ୍କୁ ଗିରଫ କରାଯାଇଥିଲା। ଏହି ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଅଭିଯୋଗ ହୋଇଛି ଯେ ଟି-୨୦ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନର ବିଜୟକୁ ନେଇ ଏହି ଛାତ୍ରମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ।

ଯେଉଁମାନେ ପାକିସ୍ତାନର ବିଜୟ ନେଇ ଉତ୍ସବ ମନାଇଥିଲେ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।ଦେଶ ବିରୋଧୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କହିଥିଲେ।

ପାକିସ୍ତାନର ବିଜୟ ନେଇ ଉତ୍ସବ ମନାଇବା ଓ ଭାରତ ବିରୋଧୀ ସ୍ଲୋଗାନ ସହ ଆଗ୍ରା ରେ ୩, ବରେଲିରେ ୩ ଏବଂ ଲକ୍ଷ୍ନୌରେ ୩ ​​ଟି ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି।

କାଶ୍ମୀରର ଛାତ୍ର ଅର୍ଶଦ ୟୁସୁଫ, ଇନାୟତ ଅଲତାଫ ଏବଂ ଶୌକତ ଅହମ୍ମଦ ଘାନି ଆଗ୍ରାସ୍ଥିତ ଆରବିଏସ୍ ଇଞ୍ଜିନିୟରିଂ କଲେଜରେ ପଢ଼ନ୍ତି। ସେମାନେ ଟି-୨୦ ବିଶ୍ୱକପରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରିବା ଏବଂ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୋଧରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଆରବିଏସ୍ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ପୂର୍ବରୁ ସେହି ତିନି କାଶ୍ମୀରୀ ଛାତ୍ରଙ୍କୁ ବହିଷ୍କାର କରିଥିଲେ ।

Comments are closed.