ହସ୍ପିଟାଲ ଉପରେ ଆକ୍ରମଣରେ ତାଲିବାନର ବରିଷ୍ଠ କମାଣ୍ଡର ନିହତ

କାବୁଲ: ଆଫଗାନିସ୍ତାନର କାବୁଲର ଏକ ମିଲିଟାରୀ ହସ୍ପିଟାଲ ଉପରେ ମଙ୍ଗଳବାର ହୋଇଥିବା ଆକ୍ରମଣରେ ତାଲିବାନର ଜଣେ ପ୍ରମୁଖ କମାଣ୍ଡର ମୌଲବୀ ହାମଦୁଲ୍ଲା ମୁଖଲିସଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି। ମୁଖଲିସ୍ କାବୁଲ ମିଲିଟାରୀ କର୍ପସର ନେତା ଥିଲେ। ଅଗଷ୍ଟରେ ତତ୍କାଳୀନ ରାଷ୍ଟ୍ରପତି ଅଶ୍ରଫ ଘନି ଦେଶ ଛାଡ଼ି ପଳାଇବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନରେ ପ୍ରଥମେ ଯେଉଁ କିଛି ତାଲିବାନ କମାଣ୍ଡର ପଶିଥିଲେ ସେମାନଙ୍କ ମଧ୍ୟରେ ମୁଖଲିସ୍ ଥିଲେ ଅନ୍ୟତମ । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ମିଲିଟାରୀ ହସ୍ପିଟାଲରେ ହୋଇଥିବା ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇଥିଲେ।

ତାଲିବାନ କ୍ଷମତା ଦଖଲ କରିବା ପରଠାରୁ ଦେଶରେ ବହୁ ଆତଙ୍କୀ ଆକ୍ରମଣ ଘଟିଛି। ମିଲିଟାରୀ ହସ୍ପିଟାଲ ଉପରେ ଆତ୍ମଘାତୀ ଦ୍ୱାରା ଆକ୍ରମଣ କରାଯାଇଥିଲା ବୋଲି କୁହାଯାଇଛି। ଏହା ପରେ କିଛି ଆତତାୟୀ ଡାକ୍ତରଖାନା ପରିସରରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଉକ୍ତ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି।

Comments are closed.