ୟୁଏସ୍ ଓପନରେ ତୃତୀୟ ରାଉଣ୍ଡ ପରାଜୟ ସହ ଟେନିସକୁ ସେରେନା ୱିଲିୟମ୍ସଙ୍କ ଅଲବିଦା

ନ୍ୟୁୟର୍କ: ୨୭ ବର୍ଷ ଧରି ଟେନିସ୍ କୋର୍ଟରେ ରାଜ କରିଆସିଥିବା ଏବଂ ସବୁ ଟାଇଟଲ୍ ହାସଲ କରିଥିବା କିମ୍ବଦନ୍ତୀ ଖେଳାଳି ସେରେନା ୱିଲିୟମ୍ସଙ୍କ ପେସାଦାର କ୍ୟାରିୟର ୟୁଏସ୍ ଓପନ୍ ତୃତୀୟ ରାଉଣ୍ଡ ପରାଜୟ ସହ ଶେଷ ହୋଇଛି | ସେପ୍ଟେମ୍ବର ୨୬ରେ ସେରେନାଙ୍କୁ ୪୧ ବର୍ଷରେ ପାଦ ଦେବେ । ସେ ନିଜ ପରିବାର ବଢାଇବା ସହ ବ୍ୟବସାୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ବୋଲି ଏହି ଆମେରିକୀୟ ସୁପରଷ୍ଟାର ୟୁଏସ୍ ଓପନ୍ ପୂର୍ବରୁ କହିଥିଲେ। ଏହା ତାଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ ବୋଲି ମଧ୍ୟ ସେ ଘୋଷଣା କରିଥିଲେ । ତାଙ୍କର ଏକ ପାଞ୍ଚ ବର୍ଷର ଝିଅ ଅଲିମ୍ପିଆ ଅଛି | ଶୁକ୍ରବାର ରାତିରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ମ୍ୟାଚରେ ସେରେନା ୭-୫, ୬-୭(୪), ୬-୧ରେ ଅଜଲା ଟମଲଜାନୋଭିକଙ୍କ ଠାରୁ ହାରିଯାଇଥିଲେ | ସେରେନା ପାଞ୍ଚଟି ମ୍ୟାଚ୍ ପଏଣ୍ଟ ବଞ୍ଚାଇଥିଲେ । କିନ୍ତୁ ଶେଷରେ ଯେତେବେଳେ ତାଙ୍କ ସଟ୍ ନେଟକୁ ବାଜିଥିଲା, ସେତେବେଳେ ତାଙ୍କ ଆଖି ଛଳଛଳ ହୋଇ ଉଠିଥିଲା | ମ୍ୟାଚ୍ ପରେ ସେ କହିଥିଲେ, “ଏହା ମୋ ପାଇଁ ଏକ ଅବିଶ୍ୱସନୀୟ ସଫଳତା। ମୋତେ ଯେଉଁମାନେ ଉତ୍ସାହିତ କରିଛନ୍ତି ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି। ସେରେନାଙ୍କୁ ଷ୍ଟାଡିୟମରେ ଉପସ୍ଥିତ ପ୍ରାୟ ୨୪ ହଜାର ଦର୍ଶକ ଛିଡ଼ା ହୋଇ ଅଭିବାଦନ ଜଣାଇଥିଲେ ।

ସେରେନା ତାଙ୍କ କ୍ୟାରିୟରରେ ୨୩ ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି । ଏହାଛଡ଼ା ବଡ଼ ଭଉଣୀ ଭେନସ୍ ଓ୍ବିଲିୟମ୍ସଙ୍କ ସହିତ ମିଶି ୧୪ ଡବଲ୍ସ ଟାଇଟଲ୍ ହାସଲ କରିଛନ୍ତି | ସେ ଶହ ଶହ ସପ୍ତାହ ଧରି ଡବ୍ଲୁଟିଏ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଥିଲେ | ତାଙ୍କ ନାମରେ ଚାରିଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ମଧ୍ୟ ଅଛି | ଏହାଛଡ଼ା ସେ ଅନ୍ୟାନ୍ୟ ଟ୍ରଫି ଜିତି କୋଟି କୋଟି ଡଲାର ଆୟ କରିଥିଲେ | ଏହି କିମ୍ବଦନ୍ତୀ ଖେଳାଳି ତାଙ୍କର ୧୪ତମ ଜନ୍ମଦିନ ପାଳନ କରିବାର ଏକ ମାସ ପରେ ଅର୍ଥାତ ୨୮ ଅକ୍ଟୋବର ୧୯୯୫ରେ ଡବ୍ଲୁଟିଏ ଟୁର୍ ରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ | ସେ ଅଷ୍ଟ୍ରେଲୀୟ ଓପନରେ ମାତ୍ର ୧୬ ବର୍ଷ ବୟସରେ ଗ୍ରାଣ୍ଡସ୍ଲାମ ସ୍ତରରେ ତାଙ୍କର ପ୍ରଥମ ମ୍ୟାଚ୍ ଜିତିଥିଲେ | ଏହା ପରେ ସେ ଷଷ୍ଠ ସିଡ୍ ଇରିନା ସ୍ପିରାଲିଆଙ୍କୁ ୬-୭(୫), ୬-୩, ୬-୧ରେ ପରାସ୍ତ କରିଥିଲେ । କିନ୍ତୁ ପରବର୍ତ୍ତୀ ରାଉଣ୍ଡରେ ତାଙ୍କ ବଡ଼ ଭଉଣୀ ଭେନସ୍ ଓ୍ବିଲିୟମ୍ସଙ୍କ ଠାରୁ ହାରିଯାଇଥିଲେ | ସେପ୍ଟେମ୍ବର ୧୧, ୧୯୯୯ରେ ୟୁଏସ୍ ଓପନର ଫାଇନାଲରେ ମାର୍ଟିନା ହିଙ୍ଗିସଙ୍କୁ ୬-୩, ୭-୬ (୪)ରେ ହରାଇ ସେରେନା ୧୭ ବର୍ଷ ବୟସରେ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ |

Comments are closed.