ମଣିପୁର: ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ, ୭ ମୃତ, ସେନା କର୍ମଚାରୀଙ୍କ ସହ ୫୦ରୁ ଊର୍ଦ୍ଧ୍ବ ନିଖୋଜ

ଇମ୍ଫାଲ: ବୁଧବାର ବିଳମ୍ବିତ ରାତିରେ ମଣିପୁରର ନୋନି ଜିଲ୍ଲା ଟୁପୁଲ ରେଳ ଷ୍ଟେସନରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଭୟଙ୍କର ଭୂସ୍ଖଳନ ପରେ ଅତିକମରେ ୫୫ ଭାରତୀୟ ସେନା କର୍ମଚାରୀ ସହ ଅନେକ ଲୋକ ନିଖୋଜ ଅଛନ୍ତି | ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି | ବୁଧବାର ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିଲା ​​ଯେତେବେଳେ ଜିରିବାମରୁ ରାଜଧାନୀ ଇମ୍ଫାଲ ପର୍ଯ୍ୟନ୍ତ ରେଳ ଲାଇନକୁ ସୁରକ୍ଷା ଦେବା ପାଇଁ ସେଠାରେ ଏକ ଟେରିଟୋରିଆଲ୍ ଆର୍ମି କ୍ୟାମ୍ପ ସ୍ଥାପିତ ହୋଇଥିଲା।

ଭୂସ୍ଖଳନରେ ଫସିଥିବା ଲୋକଙ୍କ ବିଷୟରେ ସେନା ସୂଚନା ଦେଇ କହିଛି ଯେ ବର୍ତ୍ତମାନ ଏକ ବଡ଼ ଉଦ୍ଧାର କାର୍ଯ୍ୟ ଚାଲିଛି। ଏଯାବତ୍ ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଥିସହିତ ଏହି ଭୂସ୍ଖଳନରେ ଆହତମାନଙ୍କୁ ନୋନି ଆର୍ମି ମେଡିକାଲ ୟୁନିଟରେ ଚିକିତ୍ସା କରାଯାଉଛି। ଭାରତୀୟ ସେନା ଦ୍ୱାରା ଗୁରୁତର ଆହତ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି।

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଏହି ଘଟଣାରେ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଟୁପୁଲରେ ଭୂସ୍ଖଳନ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ଜରୁରୀ ବୈଠକ ଡକାଯାଇଥିବା ସେ ଟୁଇଟ୍ କରିଛନ୍ତି। ଏହାସହ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ମଧ୍ୟ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବାକୁ ଡାକ୍ତରଙ୍କ ସହିତ ଆମ୍ବୁଲାନ୍ସକୁ ମଧ୍ୟ ପଠାଯାଇଛି।

Comments are closed.