ପଞ୍ଜଶିର ଉପତ୍ୟକା ଦଖଲ ଉଦ୍ୟମରେ ପୁଣି ତାଲିବାନକୁ ମୁହଁତୋଡ଼ ଜବାବ, ୭ ଆତଙ୍କୀ ନିହତ

କାବୁଲ: ପଞ୍ଜଶିର ଉପତ୍ୟକାରେ ତାଲିବାନ ଏବଂ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତାଲିବାନର ଦୁଇ ବିରୋଧୀ ଗୋଷ୍ଠୀର ସଂଗ୍ରାମୀ ଅଛନ୍ତି। ଅଗଷ୍ଟ ୧୫ରେ ତାଲିବାନ ରାଜଧାନୀ କାବୁଲ ଦଖଲ କରିଥିଲା। ହେଲେ ତାଲିବାନ ଏପର୍ଯ୍ୟନ୍ତ ପଞ୍ଜଶିର ଘାଟି ଦଖଲ କରିବାରେ ବିଫଳ ହୋଇଛି। ତାଲିବାନ ପୂର୍ବରୁ ମଧ୍ୟ ପଞ୍ଜଶିର ଘାଟିକୁ ନିଜ ନିୟନ୍ତ୍ରଣକୁ ନେବାରେ ବିଫଳ ହୋଇଥିଲା। ବର୍ତ୍ତମାନ ପୁଣି ଥରେ ଏହି ଉପତ୍ୟକା ତାଲିବାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ପଞ୍ଜଶିର ବ୍ୟତୀତ ତାଲିବାନ୍ ଏହାର ନିକଟବର୍ତ୍ତୀ ବାଗଲାନରେ ବିରୋଧୀ ଗୋଷ୍ଠୀ ସହ ତାଲିବାନର ସଂଘର୍ଷ ଜାରି ରହିଛି | ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର ଫାହିମ ଦସ୍ତୀ କହିଛନ୍ତି ଯେ ଆମେ ନିଜ ନେତା ଆହେମ ମାସୁଦଙ୍କ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ। ତାଙ୍କ କହିବାନୁସାରେ, ତାଲିବାନ ପଞ୍ଜଶିରର ପଶ୍ଚିମ ଦିଗରୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଫାହିମ କହିଛନ୍ତି ଯେ ଏଥିରୁ ଜଣାପଡିଛି ଏହି ଉପତ୍ୟକାର ସୁରକ୍ଷା କେତେ ଶକ୍ତିଶାଳୀ । ମୁଖପାତ୍ରଙ୍କ କହିବାନୁସାରେ, ଏହି ଯୁଦ୍ଧରେ ତାଲିବାନର ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ସମାନ ସଂଖ୍ୟକ ସେନା ଆହତ ହୋଇଛନ୍ତି।

ଆଫଗାନିସ୍ତାନର ଅଶ୍ରଫ ଘନି ସରକାରର ମନ୍ତ୍ରୀ ବିସ୍ମିଲ୍ଲା ମହମ୍ମଦ ଏକ ଟୁଇଟରେ କହିଛନ୍ତି ଯେ ଗତକାଲି ରାତିରେ ତାଲିବାନ ଆତଙ୍କବାଦୀମାନେ ପଞ୍ଜଶିର ଉପରେ ଆକ୍ରମଣ କରିଥିଲେ, ଯାହା ବିଫଳ ହୋଇଥିଲା। ଏଥିରେ ୭ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ମହମ୍ମଦ ମଧ୍ୟ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ତାଲିବାନ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ମାସୁଦ ହେଉଛନ୍ତି ପୂର୍ବତନ କମାଣ୍ଡର ଅହମ୍ମଦ ଶାହ ମାସୁଦଙ୍କ ପୁଅ, ଯିଏ ସୋଭିଏତ ୟୁନିଅନର ସେନାକୁ ଆଫଗାନିସ୍ତାନରୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାସୁଦ ପଞ୍ଜଶିରର ସିଂହ ଭାବେ ପରିଚିତ | ସେ ତାଲିବାନ ବିରୋଧରେ ହଜାର ହଜାର ସୈନ୍ୟଙ୍କୁ ନେଇ ଏକ ବଡ଼ ଯୋଦ୍ଧା ବାହିନୀ ଗଠନ କରିଛନ୍ତି। ଏହା ବ୍ୟତୀତ ତାଙ୍କ ସୈନ୍ୟବାହିନୀରେ ମଧ୍ୟ ଏକ ସ୍ପେଶାଲ୍ ଫୋର୍ସ ରହିଛି।

Comments are closed.