ବଳାତ୍କାର, ହତ୍ୟା ମାମଲାର ଦୋଷୀ ରାମ ରହୀମଙ୍କ ‘ସତସଙ୍ଗ’ କାର୍ଯ୍ୟକ୍ରମରେ ଯୋଗଦେଲେ ବହୁ ବିଜେପି ନେତା

ନୂଆଦିଲ୍ଲୀ: ବଳାତ୍କାର ଓ ହତ୍ୟା ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ ପାଇଥିବା ବିବାଦୀୟ ଧାର୍ମିକ ନେତା ଗୁରୁମିତ ରାମ ରହୀମ ସିଂହଙ୍କ ଏକ ଭର୍ଚୁଆଲ ‘ସତସଙ୍ଗ’ କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ସାମିଲ ହେବା ନେଇ ବିବାଦ ସୃଷ୍ଟି ହୋଇଛି । ହରିୟାଣାର କର୍ଣ୍ଣଲ ମେୟରଙ୍କ ସହ ଶାସକ ଦଳ ବିଜେପିର ଅନେକ ବଡ଼ନେତା ରାମ ରହୀମଙ୍କ ଏହି ସତସଙ୍ଗ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ ।

ବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହୀମ ସମ୍ପ୍ରତି ୪୦ ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳିଛନ୍ତି । ସେ ବୁଧବାର ଉତ୍ତର ପ୍ରଦେଶର ବାଗପତରୁ ଏକ ଅନଲାଇନ୍ ସତସଙ୍ଗର ଆୟୋଜନ କରିଥିଲେ। ଏଥିରେ ହରିୟଣାର ବହୁ ବିଜେପି ନେତାଙ୍କ ସମାଗମ ହୋଇଥିଲା ।

ଏହାପୂର୍ବରୁ ଜୁନ୍ ମାସରେ ଏହି ବିବାଦୀୟ ଧାର୍ମିକ ନେତା ପାରୋଲରେ ଜେଲରୁ ବାହାରିଥିଲେ ।

ରାମ ରହୀମଙ୍କ କାର୍ଯ୍ୟକ୍ରମରେ ଏହାର ବହୁ ନେତା ଅଂଶଗ୍ରହଣ କରିବା ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ । ସେମାନେ ଅଭିଯୋଗ କରିଛନ୍ତି ଯେ ଏହି ପ୍ରଭାବଶାଳୀ ଆଧ୍ୟାତ୍ମିକ ନେତାଙ୍କୁ ଆସନ୍ତା ମାସରେ ହରିୟାଣାରେ ହେବାକୁ ଥିବା ଉପ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପାରୋଲ ଦିଆଯାଇଛି।

ସୂଚନା ଅନୁଯାୟୀ, ସତସଙ୍ଗରେ ଯୋଗ ଦେଇଥିବା ବିଜେପି ନେତାଙ୍କ ମଧ୍ୟରେ କର୍ଣ୍ଣଲ ମେୟର ରେଣୁବାଳା ଗୁପ୍ତା, ଡେପୁଟି ମେୟର ନବୀନ କୁମାର ଏବଂ ବରିଷ୍ଠ ଡେପୁଟି ମେୟର ରାଜେଶ ମଧ୍ୟ ରାମ୍ ରହୀମଙ୍କ ସତସଙ୍ଗ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସିରସାସ୍ଥିତ ତାଙ୍କ ଆଶ୍ରମରେ ଦୁଇଜଣ ଶିଷ୍ୟାଙ୍କୁ ବଳାତ୍କାର ଅଭିଯୋଗରେ ରାମ ରହୀମଙ୍କୁ ଅଗଷ୍ଟ ୨୦୧୭ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ଏହି ମାମଲାରେ ୨୦ ବର୍ଷ ଜେଲ ଦଣ୍ଡ ହୋଇଥିଲା‌ । ଏହାର ବିରୋଧରେ ତାଙ୍କ ସମର୍ଥକମାନେ ରାଜ୍ୟରେ ବ୍ୟାପକ ଭଙ୍ଗାରୁଜା ଓ ହିଂସା ଘଟାଇଥିଲେ। ଏହି ହିଂସାରେ ୩୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ବହୁ କୋଟି ମୂଲ୍ୟର ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା |

୧୬ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ତଳେ ଜଣେ ସାମ୍ବାଦିକଙ୍କ ହତ୍ୟା ମାମଲାରେ ମଧ୍ୟ ୨୦୧୯ରେ ଡେରା ମୁଖ୍ୟ ରାମ୍ ରହୀମ ଏବଂ ଅନ୍ୟ ତିନିଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାଛଡ଼ା ୨୦୦୨ରେ ଡେରା ମ୍ୟାନେଜର ରଣଜିତ ସିଂଙ୍କୁ ହତ୍ୟା ଷଡଯନ୍ତ୍ରରେ ମଧ୍ୟ ଏହି ବିବାଦୀୟ ଧାର୍ମିକ ନେତା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Comments are closed.