ମୋହାଲି ମେଳାରେ ଅଘଟଣ, ୫୦ ଫୁଟ ତଳକୁ ଖସିଲା ଦୋଳି, ଅନେକ ଆହତ

ମୋହାଲି: ପଞ୍ଜାବର ମୋହାଲିର ଫେଜ୍-୮ ସ୍ଥିତ ଦଶହରା ଗ୍ରାଉଣ୍ଡରେ ମୋହାଲି ବାଣିଜ୍ୟ (ଲଣ୍ଡନ ବ୍ରିଜ୍) ମେଳାରେ ଘଟିଛି ଅଘଟଣ । ମେଳାରେ ଲାଗିଥିବା ଏକ ବଡ଼ ଡ୍ରପ୍ ଟାୱାର ଦୋଳି ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଦୋଳିଟି ପ୍ରାୟ ୫୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡିଥିଲା । ରବିବାର ରାତିରେ ଏହି ଅଘଟଣ ଘଟିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ରବିବାର ରାତି ପ୍ରାୟ ୯ଟା ବେଳେ ଡ୍ରପ୍ ଟାୱାର ଦୋଳି ବହୁତ ଜୋରରେ ବୁଲୁଥିଲା ​​| ତେବେ ହଠାତ୍ ଭାରସାମ୍ୟ ହରାଇ ଦୋଳିଟି ତଳକୁ ଦ୍ରୁତ ଗତିରେ ଖସି ପଡ଼ିଥିଲା | ଏହି ଘଟଣା ବେଳେ ଦୋଳିରେ ମହିଳା ଓ ଛୋଟ ପିଲାଙ୍କ ସହ ପ୍ରାୟ ୫୦ ଲୋକ ବସିଥିଲେ । ଏହି ଘଟଣାରେ ଅନେକ ମହିଳା ଓ ଶିଶୁ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ଆହତମାନଙ୍କୁ ନିଜ ଗାଡିରେ ଡାକ୍ତରଖାନା ନେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଅପରେସନ ଆରମ୍ଭ କରିଥିଲା । କୁହାଯାଉଛି ଯେ ମେଳାର ଆୟୋଜକ କମ୍ପାନୀ ‘ଦିଲ୍ଲୀ ଇଭେଣ୍ଟସ୍’ ସେପ୍ଟେମ୍ବରରେ ଗୁରୁଗ୍ରାମ ଏବଂ ପଞ୍ଚକୁଲା ଏବଂ ଡିସେମ୍ବରରେ ଚଣ୍ଡିଗଡ଼ରେ ମଧ୍ୟ ଏପରି ମେଳା ଆୟୋଜନ କରିବ।

ମୋହାଲି ଡିଏସପି କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଆୟୋଜକ କମ୍ପାନିକୁ ମେଳା ପାଇଁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅନୁମତି ଦିଆଯାଇଥିଲା । ଏହାକୁ ପରେ ୧୧ ପର୍ଯ୍ୟନ୍ତ ବଢାଯାଇଛି । ଏହି ଘଟଣା ପାଇଁ ଯିଏ ବି ଦୋଷୀ ହୁଅନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.