ଜିମ୍ବାୱେ ସିରିଜରୁ ଆହତ ୱାଶିଂଟନ୍ ସୁନ୍ଦର ବାଦ୍, ଶାହାବାଜ ଅହମ୍ମଦ ସାମିଲ

ନୂଆଦିଲ୍ଲୀ: ଆହତ ୱାଶିଂଟନ୍ ସୁନ୍ଦର ଆଗାମୀ ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି । ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ଅଲରାଉଣ୍ଡର ଶାହାବାଜ ଅହମ୍ମଦଙ୍କୁ ଦଳରେ ସାମିଲ କରାଯାଇଛି। ବିସିସିଆଇ ସୂଚନା ଅନୁଯାୟୀ ଚୟନ କମିଟି ଶାହବାଜ ଅହମ୍ମଦଙ୍କ ନାମକୁ ଅନୁମୋଦନ କରିଛି। ଇଂଲଣ୍ଡରେ ଏକ କାଉଣ୍ଟି ମ୍ୟାଚ୍ ସମୟରେ ୱାଶିଂଟନ୍ ସୁନ୍ଦରଙ୍କ କାନ୍ଧରେ ଆଘାତ ଲାଗିଥିଲା।

ଏହି କାରଣରୁ ସେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଖେଳି ପାରିବେ ନାହିଁ। ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅଗଷ୍ଟ ୧୮ରୁ ଆରମ୍ଭ ହେଉଛି | ଡିସେମ୍ବର ୧୯୯୪ରେ ହରିୟାଣାର ମେୱାଟରେ ଜନ୍ମଗ୍ରହଣ କରିଥିବା ଶାହାବାଜ ଅହମ୍ମଦ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି। ଘରୋଇ କ୍ରିକେଟ୍ ରେ ସେ ପଶ୍ଚିମବଙ୍ଗ ପାଇଁ ଖେଳୁଥିବାବେଳେ ଆଇପିଏଲରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରତିନିଧିତ୍ୱ କରୁଛନ୍ତି।

ଭାରତୀୟ ଦଳ: କଏଲ୍ ରାହୁଲ (କ୍ୟାପଟେନ୍), ଶିଖର ଧାୱନ (ଭାଇସ କ୍ୟାପଟେନ), ଋତୁରାଜ ଗାଏକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଇଶାନ କିଶନ, ସଞ୍ଜୁ ସାମସନ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଆକ୍ସାର ପଟେଲ, ଅଭେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର ଓ ଶାହାବାଜ ଅହମ୍ମଦ |

Comments are closed.