ଶାହରୁଖ, ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ଶାହରୁଖ ଖାନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଛି । ଏନସିବିର ଗୋଟିଏ ଟିମ୍ ଶାହରୁଖଙ୍କ ବାସଭବନ ‘ମନ୍ନତ’ରେ ପହଞ୍ଚି ଛାନଭିନ କରିଥିବା ବେଳେ ଆଉ ଏକ ଟିମ୍ ‌ଅନନ୍ୟା‌ ପାଣ୍ଡେଙ୍କ ଘରେ ଚଢ଼ାଉ କରିଛି । କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଜେରା ପାଇଁ ଅନନ୍ୟାଙ୍କୁ ସମନ ଜାରି କରାଯାଇଛି । ଅନନ୍ୟା ପାଣ୍ଡେ ହେଉଛନ୍ତି ବଲିଉଡ ଅଭିନେତା ଚୁଙ୍କି ପାଣ୍ଡେଙ୍କ ଝିଅ।

ସୂଚନା ଅନୁଯାୟୀ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଜଣେ ଉଦୀୟମାନ ବଲିଉଡ ଅଭିନେତ୍ରୀଙ୍କ ସହ ହ୍ବାଟସଆପରେ ଡ୍ରଗ୍ସ ସମ୍ପର୍କିତ ଚାଟିଂ କରିଥିବା କହିଥିଲା ଏନସିବି। ଏନସିବି ଏହାକୁ ପ୍ରମାଣ ଭାବରେ କୋର୍ଟରେ ଉପସ୍ଥାପନ କରିଛି। ଏହି ଉଦୀୟମାନ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୋଲି ଏବେ ସ୍ପଷ୍ଟ ହୋଇଛି । ଏହା ମଧ୍ୟ କୁହାଯାଉଛି ଯେ ଅନନ୍ୟା ମଧ୍ୟ କ୍ରୁଜ ଜାହାଜରେ ଉପସ୍ଥିତ ଥିଲେ ଏବଂ ଜେରା ପରେ ଏନସିବି ତାଙ୍କୁ ଛାଡି ଦେଇଥିଲା।

ଅନ୍ୟପକ୍ଷେ ଶାହରୁଖ ଆଜି ମୁମ୍ବାଇର ଆର୍ଥର ରୋଡ ଜେଲ୍ ଯାଇ ପୁଅ ଆର୍ୟନଙ୍କୁ ଭେଟିଥିଲେ। ବାପା ଏବଂ ପୁଅଙ୍କ ମଧ୍ୟରେ ସାକ୍ଷାତ ପ୍ରାୟ ୧୮ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ​​| ଏନଡିପିଏସ୍ କୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆର୍ୟନ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ମଙ୍ଗଳବାର ହେବ ।

Comments are closed.