କାଉନସେଲିଂ ଠାରୁ ଡାଏଟ୍ ପ୍ଲାନ୍, ଆର୍ୟନଙ୍କ ପାଇଁ ନୂଆ ରୁଟିନ୍ ତିଆରି କରିବେ ଶାହରୁଖ-ଗୌରୀ

ମୁମ୍ବାଇ: ଏକ ବିଳାସପୂର୍ଣ୍ଣ କ୍ରୁଜ୍ ଜାହାଜରେ ଚାଲିଥିବା ରେଭ୍ ପାର୍ଟି ଉପରେ ଚଢ଼ାଉ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅକ୍ଟୋବର ୩ରେ ଶାହରୁଖ ଓ ଗୌରୀ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଥିଲା। ଆର୍ଥର ରୋଡ ଜେଲରେ ୨୩ ଦିନ ରହିବା ପରେ ଶେଷରେ ଆର୍ୟନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଆର୍ୟନ ଶନିବାର ଜେଲରୁ ମୁକୁଳିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆର୍ଯ୍ୟନଙ୍କୁ ବାହାରେ ଖାଦ୍ୟ ଖାଇବାକୁ ଦିଆଯାଇନଥିଲା ଏବଂ ତାଙ୍କୁ ଅନ୍ୟ କଏଦୀଙ୍କ ପରି ଜେଲ ଖାଦ୍ୟ ଦିଆଯାଇଥିଲା। ପୁଅ ଗିରଫ ହେବା ପରେ ଶାହାରୁଖ ଖାନ ଏବଂ ଗୌରୀଙ୍କ ଆଖିରୁ ନିଦ ହଜିଯାଇଥିଲା ‌‌। ତାଙ୍କ ପୁଅ ଜେଲରୁ ନ ଫେରିବା ପର୍ଯ୍ୟନ୍ତ ମନ୍ନତରେ କୌଣସି ମିଷ୍ଟାନ୍ନ ବ୍ୟଞ୍ଜନ ହେବ ନାହିଁ ବୋଲି ଗୌରୀ କୁଆଡେ଼ ନିର୍ଦ୍ଦେଶ ଦେଇଥିଲେ ।

କିଛି ସର୍ତ୍ତରେ ଆର୍ଯ୍ୟନ୍ ଖାନଙ୍କୁ ହାଇକୋର୍ଟ ମୁକ୍ତ କରିଛନ୍ତି, ଯାହା ତାଙ୍କୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଶୁକ୍ରବାର ଦିନ ୧୧ ଟାରୁ ୨ଟା ମଧ୍ୟରେ ଆର୍ଯ୍ୟନଙ୍କୁ ଏନସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ ପଡ଼ିବ । ଏହା ମଧ୍ୟ କୁହାଯାଉଛି ଯେ ମନ୍ନତ ବାହାରେ ଏବେ ବି ବହୁ ସଂଖ୍ୟାରେ ଗଣମାଧ୍ୟମ ଏବଂ ପ୍ରଶଂସକଙ୍କ ଉପସ୍ଥିତି ଥିବାରୁ ଆର୍ୟନ କିଛି ଦିନ ତାଙ୍କ ଘର ଭିତରେ ହିଁ ରହିବେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବେଶି ଦିନ ଜେଲରେ ରହିଥିବାରୁ ଆର୍ୟନଙ୍କ ଏବେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଜେଲ ଭିତରେ ଆର୍ୟନଙ୍କ ଖାଦ୍ୟ, ପାନୀୟ ଭଲ ନଥିଲା, ସେଥିପାଇଁ ମା’ ଗୌରୀଙ୍କ ଚିନ୍ତା ବଢ଼ିଯାଇଛି | ସେହି କାରଣରୁ ଆର୍ୟନଙ୍କ ରକ୍ତ ପରୀକ୍ଷା ପରେ ତାଙ୍କର ନୂଆ ଡାଏଟ୍ ପ୍ଲାନ୍ ପ୍ରସ୍ତୁତ ହେବ।

ଆର୍ୟନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟତୀତ ତାଙ୍କ ମାନସିକ ସ୍ଵାସ୍ଥ୍ୟର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହରୁଖ ଏବଂ ଗୌରୀ ଶୀଘ୍ର ଆର୍ୟନଙ୍କ ପାଇଁ କାଉନସେଲିଂ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

Comments are closed.