ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଶାହରୁଖ ଖାନ୍ ଓ ସାଇ କିଶୋର ଷ୍ଟାଣ୍ଡବାଏ ଖେଳାଳି ଭାବେ ଭାରତୀୟ ଦଳରେ ସାମିଲ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ସିରିଜ୍ ପୂର୍ବରୁ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି | କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଯୁବ ଖେଳାଳି ଶାହରୁଖ ଖାନ୍ ଏବଂ ସାଇ କିଶୋରଙ୍କୁ ଏହି ସିରିଜ୍ ପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଦଳରେ ସାମିଲ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଏହି ଉଭୟ ଖେଳାଳି ଟିମ୍ ଇଣ୍ଡିଆ ସହିତ ବାୟୋ ବବୁଲର ଅଂଶ ହେବେ | ଯଦି ଆବଶ୍ୟକ ହୁଏ ତେବେ ସେମାନଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ସୁଯୋଗ ବି ଦିଆଯାଇପାରେ। ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଉଭୟ ଖେଳାଳି ଚର୍ଚ୍ଚାରେ ରହିଛନ୍ତି।

ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ ଖାନ ଏବଂ ସ୍ପିନର ରବି ଶ୍ରୀନିବାସ ସାଇ କିଶୋର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ୬ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ସିରିଜ୍ ପାଇଁ ରିଜର୍ଭ ଖେଳାଳି ଭାବରେ ଭାରତୀୟ ଦଳରେ ଯୋଗଦେବେ। ଜାତୀୟ ସ୍ତରରେ ତାମିଲନାଡୁର ସଫଳତା ପାଇଁ ଶାହାରୁଖ ଏବଂ ସାଇ କିଶୋର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି | କୋଭିଡ -୧୯ ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି ଉଭୟଙ୍କୁ ଦଳ ସହ ଯୋଡା ଯାଇଛି । ଯଦି ଟୁର୍ନାମେଣ୍ଟ ସମୟରେ ମୂଳ ଦଳର କୌଣସି ଖେଳାଳି କୋଭିଡ ପଜିଟିଭ୍ ହୁଅନ୍ତି, ତେବେ ଏହି ଦୁଇ ରିଜର୍ଭ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦିଆଯାଇପାରେ | ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ , ଶାହରୁଖ ଏବଂ ସାଇ କିଶୋରଙ୍କୁ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ‘ଷ୍ଟାଣ୍ଡବାଇ’ ରଖାଯାଇଛି। ମୁଖ୍ୟ ଦଳର ଖେଳାଳିଙ୍କ ସହିତ ସେମାନେ ମଧ୍ୟ ବାୟୋ-ବବଲରେ ପ୍ରବେଶ କରିବେ |

ଗତ ବର୍ଷ କୋଚ୍ ରାହୁଲ ଦ୍ରାବିଡଙ୍କ ତତ୍ତ୍ବାବଧାନରେ ଶ୍ରୀଲଙ୍କା ଗସ୍ତ ବେଳେ ସାଇ କିଶୋର ଭାରତୀୟ ଦଳର ଅନ୍ୟତମ ନେଟ୍ ବୋଲର୍ ଥିଲେ । ସେ ଦ୍ୱିତୀୟ ଥର ପାଇଁ ଜାତୀୟ ଦଳର ଏକ ଅଂଶ ହେବାକୁ ଯାଉଛନ୍ତି। ଶାହାରୁଖ କିଛି ସମୟ ଧରି ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଦୌଡ଼ରେ ଅଛନ୍ତି | ଚଳିତ ସିଜନରେ କର୍ଣ୍ଣାଟକ ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ସେ ଶେଷ ବଲରେ ଛକା ମାରି ଦଳକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଇ କିଶୋର ମଧ୍ୟ ଏହି ମ୍ୟାଚରେ ୩ଟି ୱିକେଟ୍ ନେଇଥିଲେ।

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ୬ ଫେବୃଆରୀରେ, ଦ୍ୱିତୀୟ ମ୍ୟାଚ୍ ୯ ଫେବୃଆରୀ ଏବଂ ତୃତୀୟ ମ୍ୟାଚ୍ ୧୧ ଫେବୃଆରୀରେ ଖେଳାଯିବ | ଏହି ସିରିଜର ସମସ୍ତ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧:୩୦ରୁ ଖେଳାଯିବ | ଏହା ପରେ ଫେବୃଆରୀ ୧୬ରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ | ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧୮ ଏବଂ ତୃତୀୟ ମ୍ୟାଚ୍ ଫେବୃଆରୀ ୨୦ରେ ଅନୁଷ୍ଠିତ ହେବ | ଟି-୨୦ ସିରିଜର ସବୁ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ |

Comments are closed.