ଇତିହାସ ରଚିଲେ ବିହାରର ସାକିବୁଲ ଗନି, ରଣଜୀ ଡେବ୍ୟୁରେ ମାରିଲେ ତ୍ରିଶତକ

ନୂଆଦିଲ୍ଲୀ: ବିହାରର ସାକିବୁଲ ଗନି ନିଜ ରଣଜୀ ଡେବ୍ୟୁରେ ଇତିହାସ ରଚିଛନ୍ତି। ନିଜ ପ୍ରଥମ ଶ୍ରେଣୀ ଡେବ୍ୟୁରେ ତ୍ରିଶତକ ହାସଲ କରିଛନ୍ତି ଗନି। ପ୍ରଥମ ଶ୍ରେଣୀରେ ଡେବ୍ୟୁରେ ତ୍ରିଶତକ ହାସଲ କରିବାରେ ଗନି ହେଉଛନ୍ତି ପ୍ରଥମ ଖେଳାଳି | ସେ ବିହାରର ମିଜୋରାମ ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚରେ ୪୦୫ ବଲରେ ୩୪୧ ରନର ଚମତ୍କାର ଇନି°ସ୍ ଖେଳିଛନ୍ତି।

୨୨ ବର୍ଷୀୟ ସାକିବୁଲ ଗନି ମଧ୍ୟପ୍ରଦେଶର ଅଜୟ ରୋହେରାଙ୍କ ରେକର୍ଡ ଭାଙ୍ଗିଛନ୍ତି । ରୋହେରା ୨୦୧୯-୨୦ରେ ପ୍ରଥମ ଶ୍ରେଣୀ ଡେବ୍ୟୁରେ ୨୬୭ * ସ୍କୋର କରିଥିଲେ। ରୋହେରା ହାଇଦ୍ରାବାଦ ବିପକ୍ଷରେ ଏହି ଇନିଂସ ଖେଳିଥିଲେ।

ଗନି ୩୮୭ ବଲରେ ନିଜ ତ୍ରିଶତକ ପୂରଣ କରିଥିଲେ | ଯାଦବପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଚାଲିଥିବା ଏହି ମ୍ୟାଚର ଦ୍ୱିତୀୟ ଦିନରେ ସେ ତ୍ରିଶତକ ପୂରଣ କରିଥିଲେ।ଗନିଙ୍କ ରେକର୍ଡ ୩୪୧ ରନ୍ ବଳରେ ପ୍ରଥମ ଇନିଂସରେ ବିହାର ୬୦୦ ରୁ ଊର୍ଦ୍ଧ୍ଵ ସ୍କୋର୍ କରିଥିଲା ।

ଗନି ଚତୁର୍ଥ ଓ୍ବିକେଟରେ ବାବୁଲ କୁମାରଙ୍କ ସହ ୫୫୭ ରନ୍ ଭାଗିଦାରୀ କରିଥିଲେ। ବାବୁଲ କୁମାର ମଧ୍ୟ ଏକ ଦ୍ବିଶତକ ହାସଲ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ସବୁଠାରୁ ବଡ଼ ଭାଗିଦାରୀ ପାଇଁ ରେକର୍ଡ ଶ୍ରୀଲଙ୍କାର କୁମାର ସାଙ୍ଗକାକରା ଏବଂ ମହେଲା ଜୟଓ୍ବର୍ଦ୍ଦନେଙ୍କ ନାମରେ ରହିଛି। ଉଭୟେ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୨୪ ରନ୍ ଯୋଡିଥିଲେ।

ରଣଜୀ ଟ୍ରଫିରେ ସବୁଠୁ ବଡ଼ ଭାଗିଦାରୀ ରେକର୍ଡ ମହାରାଷ୍ଟ୍ରର ସ୍ବପ୍ନିଲ୍ ଗୁଗଲ ଏବଂ ଅଙ୍କିତ ବାଓ୍ବନେଙ୍କ ନାଁଁରେ ଅଛି | ଉଭୟ ୫୯୪ ରନର ଅପରାଜିତ ଭାଗିଦାରୀ ବାଣ୍ଟିଥିଲେ | ବିହାରର ସାକିବୁଲ ଏବଂ ବାବୁଲ ଏବେ ରେକର୍ଡ ବୁକରେ ପ୍ରବେଶ କରିଛନ୍ତି। ଚତୁର୍ଥ ୱିକେଟ୍ ପାଇଁ ଏହା ହେଉଛି ଦ୍ୱିତୀୟ ସର୍ବୋଚ୍ଚ ଭାଗିଦାରୀ | ଏହାପୂର୍ବରୁ ୧୯୪୬/୪୭ ରେ ବିଜୟ ହଜାରେ ଏବଂ ଗୁଲ ମହମ୍ମଦ ବରୋଦା ପାଇଁ ୫୭୭ ରନ୍ ଯୋଡିଥିଲେ।

୨୨ ବର୍ଷୀୟ କ୍ରିକେଟର ସାକିବୁଲ ଗନି ବିହାରର ମୋତିହାରୀରେ ଜନ୍ମଗ୍ରହଣ କରିଥିଲେ | ସେ ପୂର୍ବରୁ ୧୪ ଲିଷ୍ଟ-ଏ ମ୍ୟାଚରେ ୩୭୭ ରନ୍ କରିଥିଲେ | ଏଥି ସହିତ ସେ ୧୧ ଟି-୨୦ ମ୍ୟାଚରେ ମୋଟ ୧୯୨ ରନ୍ କରିଛନ୍ତି ।

Comments are closed.