ବୁମରାଙ୍କ ସ୍ଥାନରେ ଶାମି ଭାରତୀୟ ଟି-୨୦ ବିଶ୍ୱକପ ଦଳରେ ସାମିଲ

ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ବିସିସିଆଇ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ସ୍ଥାନରେ ବିକଳ୍ପ ଖେଳାଳି ଘୋଷଣା କରିଛି। ଆହତ କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରୁ ବୁମରାଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିଶ୍ୱକପ ଦଳରେ ସାମିଲ କରାଯାଇଛି । ଏହା ପୂର୍ବରୁ ଶାମିଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଥିଲା।

ବିସିସିଆଇ ଏକ ମିଡିଆ ବିଜ୍ଞପ୍ତିରେ କହିଛି ଯେ ଚୟନ କମିଟି ମହମ୍ମଦ ଶାମିଙ୍କୁ ଭାରତର ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ ଦଳରେ ଯଶପ୍ରୀତ ବୁମରାଙ୍କ ବିକଳ୍ପ ଭାବରେ ଚୟନ କରିଛି। ଶାମି ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି ଏବଂ ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ବ୍ରିସବେନରେ ଭାରତୀୟ ଦଳ ସହ ଯୋଗଦେବେ। ବୋର୍ଡ ମଧ୍ୟ ସୂଚନା ଦେଇଛି ଯେ ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ବ୍ୟାକଅପ୍ ଭାବରେ ନାମିତ କରାଯାଇଛି । ଉଭୟ ଖେଳାଳି ଶୀଘ୍ର ଅଷ୍ଟ୍ରେଲିଆ ଗସ୍ତ କରିବେ।

ଉଲ୍ଲେଖଯୋଗ୍ୟ ଯେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ରିଜର୍ଭ ଖେଳାଳି ତାଲିକାରେ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର, ସ୍ପିନର ରବି ବିଷ୍ଣୋଇ, ଦ୍ରୁତ ବୋଲର ଦୀପକ ଚହର ଏବଂ ମହମ୍ମଦ ଶାମି ରହିଥିଲେ । ତେବେ ପିଠି ଆଘାତ ଯୋଗୁଁ ଦୀପକ ଚହର ମଧ୍ୟ ବିଶ୍ବକପ୍ ରୁ ବାଦ୍ ପଡ଼ିଥିଲେ । ଶାମିଙ୍କ ସହ ସିରାଜ ଓ ଶାର୍ଦ୍ଦୁଲ ଅଷ୍ଟ୍ରେଲିଆ ଯିବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ (ଡବ୍ଲୁକେ), ଦୀନେଶ କାର୍ତ୍ତିକ (ଡବ୍ଲୁକେ), ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ ଓ ମହମ୍ମଦ ଶାମି।

Comments are closed.