ମୋଦିଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ନେତାଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇଲେ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ବୁଧବାର ସଂସଦ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତକୁ ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଜୋର ଧରିଛି। ସଂସଦ ଗୃହରେ ଅବସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପ୍ରାୟ ୨୦ ମିନିଟ୍ ଧରି ଚାଲିଥିଲା। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପାୱାର ସ୍ପଷ୍ଟ କରିଛନ୍ତି ଯେ ସେ ଲକ୍ଷ୍ୟଦ୍ବୀପ ସହ ଜଡ଼ିତ କିଛି ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, ‘ମୋର ପ୍ରଧାନମନ୍ତ୍ରୀଙ୍କ ସହ କିଛି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ମୁଁ ଗତ ଅଢେଇ ବର୍ଷ ଧରି ମହାରାଷ୍ଟ୍ର ପରିଷଦରେ ଖାଲି ପଡ଼ିଥିବା ସିଟ୍ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲି।

ଏନସିପି ମୁଖ୍ୟ କହିଛନ୍ତି ଯେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ଉଠାଇଛନ୍ତି। ରାଉତଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତାଙ୍କର ସମ୍ପତ୍ତି ଜବତ ହୋଇଛି | ବିଜେପି ନେତାମାନେ କଥା କଥାକେ ଇଡିର ଧମକ ଦେଇଛନ୍ତି। ସଞ୍ଜୟ ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା କ’ଣ ଥିଲା? ସେ ସରକାରଙ୍କ ବିରୋଧରେ କହୁଥିବାରୁ ଏହା କରାଯାଇଥିଲା କି ବୋଲି ପାଓ୍ବାର ପ୍ରଶ୍ନ କରିଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ‘ମୁଁ ୟୁପିଏର ନେତୃତ୍ବ ନେବାକୁ ପ୍ରସ୍ତୁତ ନୁହେଁ।

Comments are closed.