ସିଞ୍ଜୋ ଆବେଙ୍କ ଅବସ୍ଥା ସଙ୍କଟାପନ୍ନ

ଟୋକିଓ: ଗୁଳିମାଡ଼ର ଶିକାର ହେବା ପରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆବେଙ୍କୁ ବଞ୍ଚାଇବା ପାଇଁ ଡ଼ାକ୍ତରୀ ଦଳ ଯଥାସମ୍ଭବ ଚେଷ୍ଟା ଚଳାଇଛି।

ସିଞ୍ଜୋ ଆବେଙ୍କ ଲିବରାଲ୍ ଡେମୋକ୍ରାଟ୍ ପାର୍ଟି କହିଛି ଯେ ଆବେଙ୍କୁ ପଛରୁ ଗୁଳି କରାଯାଇଥିଲା। ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆବେଙ୍କ ଅବସ୍ଥା ଗୁରୁତର ରହିଛି। ଜାପାନ ଗଣମାଧ୍ୟମରେ ଏହା ମଧ୍ୟ କୁହାଯାଉଛି ଯେ ଆବେଙ୍କୁ ଗୁଳି କରାଯିବା ପରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଜାପାନ ଟାଇମ୍ସ ଅନୁଯାୟୀ, ଗୁଳିମାଡ଼ ଯୋଗୁଁ ଆବେଙ୍କ ବେକରେ ଆଘାତ ଲାଗିଥିଲା ​​ଏବଂ ଛାତି ଭିତରେ ରକ୍ତସ୍ରାବ ହୋଇଥିଲା।

ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି ଯେ ଆବେଙ୍କ ଅବସ୍ଥା ଗୁରୁତର ରହିଛି। କିଶିଦା କହିଛନ୍ତି, ମୁଁ ଆନ୍ତରିକ ପ୍ରାର୍ଥନା କରୁଛି ଯେ ଆବେ ସୁସ୍ଥ ହୋଇଯାଆନ୍ତୁ। ମୁଁ ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି। ଗଣତନ୍ତ୍ରରେ ଏଭଳି ହିଂସାର ସ୍ଥାନ ନାହିଁ।

ଜାପାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆବେ ଆହତ ଅବସ୍ଥାରେ ଚେତାଶୂନ୍ୟ ହୋଇପଡିଛନ୍ତି। ସରକାରୀ ଟିଭି ଚ୍ୟାନେଲ ଏନନ୍ଏଚକେ ରିପୋର୍ଟ ଅନୁଯାୟୀ, ଯେତେବେଳେ ତାଙ୍କୁ ଆମ୍ବୁଲାନ୍ସରେ ଅଣାଯାଇଥିଲା ସେତେବେଳେ ସେ ସଚେତ ଥିଲେ।

ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ ୪୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ ନାରାର ନିଶି ପୋଲିସ ଥାନାକୁ ନିଆଯାଇଛି। ଜାପାନ ଗଣମାଧ୍ୟମ ଅନୁଯାୟୀ, ଆକ୍ରମଣକାରୀ ସାମୁଦ୍ରିକ ଆତ୍ମରକ୍ଷା ବାହିନୀର ଜଣେ ସଦସ୍ୟ।

ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ନାମ ଟେଟସୁୟା ୟାମାଗାମି ବୋଲି ଜଣାପଡିଛି। ସେ ନାରା ସହରର ବାସିନ୍ଦା | ସେ ଏକ ହାତ ତିଆରି ବନ୍ଧୁକରୁ ଆବେଙ୍କ ଉପରେ ଗୁଳି ଚଳାଇଥିଲେ।

ଆବେ ରବିବାର ହେବାକୁ ଥିବା ସଂସଦର ଉପର ସଦନ ନିର୍ବାଚନ ପାଇଁ ଧାରା ସହରରେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଆବେ ଜାପାନର ସବୁଠୁ ଦୀର୍ଘ ଦିନ ପ୍ରଧାନମନ୍ତ୍ରୀ ରହିଥିଲେ । ଆବେ ୨୦୧୨ ରୁ ୨୦୨୦ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ୨୦୦୬ରେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ କିନ୍ତୁ ଗୋଟିଏ ବର୍ଷ ମଧ୍ୟରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା | ୬୫ ବର୍ଷ ବୟସ୍କ ଆବେ ୨୦୨୦ରେ ସ୍ଵାସ୍ଥ୍ୟଗତ କାରଣରୁ ପ୍ରଧାନମନ୍ତ୍ରୀ ପଦ ଛାଡିଥିଲେ।

Comments are closed.