ସାଉଦିରୁ ଭାରତ ଆସୁଥିବା ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ, ଜାହାଜରେ ଥିଲେ ୨୦ ଭାରତୀୟ

ନୂଆଦିଲ୍ଲୀ: ଭାରତ ମହାସାଗର ଦେଇ ସାଉଦିରୁ ଭାରତକୁ ଆସୁଥିବା ଏକ ଜାହାଜ ଏମଭି କେମ ପ୍ଲୁଟୋ ଉପରେ ଶନିବାର ଡ୍ରୋନ ଆକ୍ରମଣ ହୋଇଛି। ଭାରତୀୟ ନୌସେନା ସୂଚନା ଅନୁଯାୟୀ ଏହି ଜାହାଜରେ କ୍ରୁ ସଦସ୍ୟଙ୍କ ମଧ୍ୟରେ ୨୦ ଜଣ ଭାରତୀୟ ଅଛନ୍ତି। ଏହି ସୂଚନା ପାଇବା ପରେ ନୌସେନା ଆଲର୍ଟ ରହିଛି।

ସୂଚନା ଅନୁଯାୟୀ, ଭାରତୀୟ ନୌସେନାର ପି-୮ଆଇ ସର୍ଭିଲାନ୍ସ ବିମାନ ଏମଭି କେମ ପ୍ଲୁଟୋ ସହିତ ଯୋଗାଯୋଗ ସ୍ଥାପନ କରିଛି।

ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଆଇସିଜିଏସ୍ ବିକ୍ରମକୁ ମଧ୍ୟ ଆକ୍ରମଣ ହୋଇଥିବା ସ୍ଥାନକୁ ପଠାଯାଇଛି।

ଏହି ଜାହାଜ ସାଉଦି ଆରବରୁ ମାଙ୍ଗାଲୁରୁ ଆସୁଥିଲା। ଏଥିରେ ଅଶୋଧିତ ତୈଳ ପରିବହନ ହେଉଥିଲା | ଏହି ଆକ୍ରମଣରେ କାହାରି କିଛି କ୍ଷତି ହୋଇ ନାହିଁ, କିନ୍ତୁ ଜାହାଜରେ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରାଯାଇଛି। ଲାଇବେରିଆର ପତାକା ଥିବା ଏହି ଜାହାଜ ଇସ୍ରାଏଲର ବୋଲି କୁହାଯାଇଛି ‌।

ସୂଚନାଯୋଗ୍ୟ, ଭାରତୀୟ ନୌସେନା ଅପହରଣ ହୋଇଥିବା ମାଲ୍ଟାର ଏକ ଜାହାଜରୁ ସୋମବାର ଜଣେ ଆହତ ନାବିକଙ୍କୁ ଉଦ୍ଧାର କରିଥିଲା। ଏହାର କିଛି ଦିନ ପରେ ସଦ୍ୟତମ ଘଟଣା ଘଟିଛି ​​| ପ୍ରକାଶ ଯେ, ୬ ଜଣ “ଜଳଦସ୍ୟୁ” ଆରବ ସାଗରରେ ଏମଭି ରୁଏନ୍ ଜାହାଜରେ ବେଆଇନ ଭାବେ ଚଢ଼ି ଯାଇଥିଲେ।

Comments are closed.