ଆର୍ୟନଙ୍କ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା, ମୌଳିକ ଅଧିକାର ଉଲ୍ଲଂଘନ ଦର୍ଶାଇ ତଦନ୍ତ ଦାବି କଲା

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ମୌଳିକ ଅଧିକାରର ସୁରକ୍ଷା ଦାବିରେ ଶିବସେନା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଏହାଛଡ଼ା ମୁମ୍ବାଇରେ ଏନସିବିର ଭୂମିକା ସମ୍ପର୍କରେ ତଦନ୍ତ ପାଇଁ ଦାବି ମଧ୍ୟ ହୋଇଛି। ସର୍ବୋଚ୍ଚ ଅଦାଲତର ଜଣେ ପଦାସୀନ ବିଚାରପତିଙ୍କ ଦ୍ବାରା ଆର୍ଯ୍ୟନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ଅଭିଯୋଗର ତଦନ୍ତ କରିବାକୁ ଏହି ପିଟିସନରେ ଦାବି କରାଯାଇଛି।

ସମ୍ବିଧାନର ଧାରା ୩୨ ଅନୁଯାୟୀ ପିଟିସନ ଦାୟର କରି ରାଜ୍ୟ ମନ୍ତ୍ରୀ କିଶୋର ତିୱାରୀ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କୁ ଏହି ମାମଲାରେ ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଗତ ଦୁଇ ବର୍ଷ ଧରି ‘ମନ୍ଦ ଉଦ୍ଦେଶ୍ୟ’ ରଖି ଏନସିବି ପକ୍ଷପାତପୂର୍ଣ୍ଣ ଆଭିମୁଖ୍ୟ ସହ ଫିଲ୍ମ ସେଲିବ୍ରିଟି, ମଡେଲ ଏବଂ ଅନ୍ୟ ସେଲିବ୍ରିଟିମାନଙ୍କୁ ହଇରାଣ କରୁଛି |

ଧାରା ୩୨ ଅନୁଯାୟୀ, ସୁପ୍ରିମକୋର୍ଟ ଏବଂ ପ୍ରଧାନ ବିଚାରପତି ମୌଳିକ ଅଧିକାରର ଉଲ୍ଲଂଘନ ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗରେ ନିଜ ଆଡୁ ହସ୍ତକ୍ଷେପ କରିବାକୁ ବାଧ୍ୟ। ସେ କହିଛନ୍ତି ଯେ ସ୍ଵତନ୍ତ୍ର ଏନଡିପିଏସ୍ କୋର୍ଟ (ମୁମ୍ବାଇ) ଆର୍ଯ୍ୟନ୍ ଖାନ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିବା ଅଭିଯୁକ୍ତଙ୍କ ପ୍ରତି ଅପମାନ । ଆର୍ଯ୍ୟନ ଖାନଙ୍କୁ ୧୭ ରାତି ପର୍ଯ୍ୟନ୍ତ ଅଗଣତାନ୍ତ୍ରିକ ତଥା ବେଆଇନ ଭାବେ ଜେଲରେ ରଖାଯାଇଥିଲା। ଏହା ସମ୍ବିଧାନରେ ଦର୍ଶାଯାଇଥିବା ସ୍ୱାଧୀନତାର ମୌଳିକ ଅଧିକାରର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ତିଓ୍ବାରୀ ନିଜ ପିଟିସନରେ ଦର୍ଶାଇଛନ୍ତି ।

Comments are closed.