କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ବିଜେପିର ଅହଂକାରର ପରାଜୟ: ଶିବସେନା

ମୁମ୍ବାଇ: ତିନୋଟି କୃଷି ଆଇନ ପ୍ରତ୍ୟାହାର ନେଇ ଶିବସେନା ଶନିବାର ବିଜେପିକୁ ଟାର୍ଗେଟ କରିଛି। ତିନୋଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରିବା ପାଇଁ ଶିବସେନା କେନ୍ଦ୍ରର ଘୋଷଣାକୁ “କ୍ଷମତାର ଅହଂକାରର ପରାଜୟ” ବୋଲି କହିଛି। ଆଗାମୀ ବର୍ଷ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି । କାରଣ ବିଜେପିକୁ ନିର୍ବାଚନରେ ପରାଜୟର ଭୟ ଘାରୁଥିଲା ବୋଲି ଶିବସେନା କହିଛି।

ଶିବସେନା କହିଛି ଯେ କେନ୍ଦ୍ର ସରକାର ବିରୋଧୀଙ୍କ ସ୍ୱରକୁ ଦବାଇ ସଂସଦରେ ତିନୋଟି କୃଷି ବିଲ୍ ପାରିତ କରିଥିଲେ। ଚାଷୀଙ୍କ ବିରୋଧକୁ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଦେଇଥିଲା। କୃଷକଙ୍କ ବିକ୍ଷୋଭ ସ୍ଥଳରେ ଜଳ ଓ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇଥିଲା। ଚାଷୀଙ୍କୁ ଖଲିସ୍ତାନୀ, ପାକିସ୍ତାନୀ ଏବଂ ଏପରିକି ଆତଙ୍କବାଦୀ ବୋଲି କୁହାଯାଇଥିଲା।

ଶିବସେନା କହିଛି ଯେ, ଏସବୁ ସତ୍ତ୍ୱେ ଘରୋଇ କ୍ଷେତ୍ର ତଥା ପୁଞ୍ଜିପତିଙ୍କ ସ୍ୱାର୍ଥରେ ଆଇନ ପ୍ରତ୍ୟାହାର କରିବାକୁ ଚାଷୀମାନେ ଦାବିରୁ ଓହରିନଥିଲେ। କୃଷି ଆଇନ ବିରୋଧରେ ଆନ୍ଦୋଳନ ବେଳେ ୫୫୦ ଚାଷୀଙ୍କ ମୃତ୍ୟୁ ହୋଇଥିଲା। କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଲକ୍ଷ୍ମୀପୁର ଖେରୀରେ ଗାଡି ମଡାଇ ଚାଷୀଙ୍କୁ ହତ୍ୟା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାରେ ତିଳେ ବି ଦୁଃଖ ପ୍ରକାଶ ପ୍ରକାଶ କରିନଥିଲେ। କିନ୍ତୁ କୃଷକମାନେ ସେମାନଙ୍କର ଆନ୍ଦୋଳନ ଏବେ ଶେଷ କରିବେ ନାହିଁ।

ମହାରାଷ୍ଟ୍ରର ଶାସକ ଦଳ କହିଛି ଯେ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପିର ​ ପରାଜୟ ଆଶଙ୍କାରେ ମୋଦି ସରକାର ଏହି ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ମହାଭାରତ’ ଏବଂ ‘ରାମାୟଣ’ ଆମକୁ ଶିକ୍ଷା ଦିଏ ଯେ ଅହଙ୍କାର ଶେଷରେ ଭାଙ୍ଗିଥାଏ, କିନ୍ତୁ ଲାଗୁଛି ଯେ ନକଲି ହିନ୍ଦୁତ୍ୱବାଦୀମାନେ ଏହାକୁ ଭୁଲି ଯାଇ ରାବଣ ପରି ସତ୍ୟ ଏବଂ ନ୍ୟାୟ ଉପରେ ଆକ୍ରମଣ କରିଛନ୍ତି। ଏହା କୃଷକଙ୍କ ଏକତା ପାଇଁ ଏକ ବିଜୟ |

Comments are closed.