ଶ୍ରଦ୍ଧା ହତ୍ୟା ମାମଲା: ଆଉ ପାଞ୍ଚ ଦିନ ବଢ଼ିଲା ଅଭିଯୁକ୍ତ ଆଫତାବଙ୍କ ପୋଲିସ ରିମାଣ୍ଡ୍

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ କୋର୍ଟ ଅଭିଯୁକ୍ତ ଆଫତାବ୍ ଆମିନ୍ ପୁନାୱାଲାଙ୍କ ପୋଲିସ ରିମାଣ୍ଡକୁ ଆଉ ପାଞ୍ଚ ଦିନ ବଢ଼ାଇଛନ୍ତି । ପୋଲିସ ତାଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀର ସାକେତ୍ କୋର୍ଟରେ ହାଜର କରାଯାଇଥିଲା ।

ସୁରକ୍ଷା ଏବଂ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂ ଜରିଆରେ ଆଫତାବଙ୍କୁ ହାଜର କରିବା ନେଇ ପୋଲିସର ଆବେଦନକୁ କୋର୍ଟ ଅନୁମୋଦନ କରିଥିଲେ । ଭିଡିଓ କନଫରେନ୍ସିଂ ସମ୍ପର୍କରେ ତାଙ୍କୁ ହାଜର ନେଇ ପୋଲିସ କହିଛି ଯେ ଶ୍ରଦ୍ଧାଙ୍କ ହତ୍ୟା ନେଇ ସାଧାରଣରେ ତୀବ୍ର ଉତ୍ତେଜନା ଓ ପ୍ରତିକ୍ରିୟା ପ୍ରକାଶ ପାଇଥିବାରୁ କୋର୍ଟ ପରିସରରେ ଆଫତାବଙ୍କ ଉପରେ ଆକ୍ରମଣ ହୋଇପାରେ।

ସୂଚନା ଅନୁଯାୟୀ, ଯାଞ୍ଚ ପାଇଁ ପୋଲିସ ଆଫତାବଙ୍କୁ ଉତ୍ତର ପ୍ରଦେଶ ଏବଂ ହିମାଚଳକୁ ନେବାକୁ ଚାହୁଁଛି । ଅଭିଯୁକ୍ତ ଆଫତାବ ନାର୍କୋ ଟେଷ୍ଟ ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି ।

ଆଜି ସାକେତ୍ କୋର୍ଟର ଓକିଲମାନେ ‘ହ୍ୟାଙ୍ଗ୍ ଆଫତାବ୍’ ସ୍ଲୋଗାନ ଦେଇଥିଲେ।

ପୋଲିସ ଦାବି କରିଛି ଯେ ଶ୍ରଦ୍ଧାଙ୍କ ସହ ଲିଭ୍ଇନ୍‌ ସମ୍ପର୍କରେ ଥିବା ଆଫତାବ୍ ପୁନାୱାଲା ହିଁ ତାଙ୍କ ହତ୍ୟାକାରୀ । ସେ ପ୍ରାୟ ୬ ମାସ ତଳେ ଅର୍ଥାତ୍ ମେ ୧୮ରେ ଶ୍ରଦ୍ଧାଙ୍କୁ ଦିଲ୍ଲୀର ମେହରୌଲି ସ୍ଥିତ ଫ୍ଲାଟରେ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ୩୫ ଖଣ୍ଡ କରି ୧୮ ଦିନ ଧରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ ।

ଶ୍ରଦ୍ଧା ଏବଂ ଆଫତାବ ଲିଭ୍-ଇନ୍ ସଂପର୍କରେ ଥିଲେ ଏବଂ ଶ୍ରଦ୍ଧାଙ୍କ ପରିବାରର ବିରୋଧ ପରେ ମୁମ୍ବାଇରୁ ଆସି ଦିଲ୍ଲୀରେ ରହୁଥିଲେ।

Comments are closed.