ଶ୍ରଦ୍ଧା ହତ୍ୟା ମାମଲା: ଆଫତାବଙ୍କ ନାର୍କୋ ଟେଷ୍ଟ ସଫଳ

ନୂଆଦିଲ୍ଲୀ:ନିଜ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ୱାଲକରଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଆଫତାବ୍ ଅମିନ ପୁନାୱାଲାଙ୍କ ଗୁରୁବାର ରୋହିଣୀ ସ୍ଥିତ ଏକ ହସ୍ପିଟାଲରେ ପ୍ରାୟ ଦୁଇ ଘଣ୍ଟା ଧରି ନାର୍କୋ ଟେଷ୍ଟ ହୋଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ସମ୍ପୂର୍ଣ୍ଣ ସଫଳ ହୋଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।

ସେ କହିଛନ୍ତି, ପୁନାୱାଲାଙ୍କୁ ରୋହିଣୀର ଡକ୍ଟର ବାବା ସାହେବ ଆମ୍ବେଦକର ଡାକ୍ତରଖାନାକୁ ସକାଳ ୮.୪୦ରେ ଅଣାଯାଇଥିଲା ଏବଂ ସକାଳ ୧୦ଟାରୁ ତାଙ୍କ ନାର୍କୋ ଟେଷ୍ଟ ଆରମ୍ଭ ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯାଇଥିଲା।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନାର୍କୋ ଟେଷ୍ଟ ପୂର୍ବରୁ ପୁନାୱାଲାଙ୍କ ରକ୍ତଚାପ, ନାଡିର ଗତି, ଶରୀରର ତାପମାତ୍ରା ଏବଂ ହୃଦସ୍ପନ୍ଦନ ଯାଞ୍ଚ ଭଳି ସାଧାରଣ ପରୀକ୍ଷା କରାଯାଇଥିଲା।

ଏହି ପ୍ରକ୍ରିୟାର ଏକ ଅଂଶ ସ୍ବରୂପ ପୁନାୱାଲା ଏବଂ ତାଙ୍କୁ ଯାଞ୍ଚ୍ କରୁଥିବା ନାର୍କୋ ଟିମର ସମ୍ପୂର୍ଣ୍ଣ ବିବରଣୀ ସହିତ ତାଙ୍କୁ ଏକ ସହମତି ଫର୍ମ ପଢାଯାଇଥିଲା । ଫର୍ମରେ ତାଙ୍କ ଦସ୍ତଖତ ପରେ ନାର୍କୋ ଟେଷ୍ଟ ଆରମ୍ଭ ହୋଇଥିଲା |

ନାର୍କୋ ଟେଷ୍ଟରେ ସୋଡିୟମ୍ ପେଣ୍ଟୋଥାଲ୍, ସ୍କୋପୋଲାମାଇନ୍ ଏବଂ ସୋଡିୟମ୍ ଆମିଟାଲ୍ ପରି ଔଷଧ ଦିଆଯାଏ, ଯାହା ଜଣେ ବ୍ୟକ୍ତିଙ୍କୁ ଆନାସ୍ଥେସିଆର ବିଭିନ୍ନ ପର୍ଯ୍ୟାୟକୁ ନେଇଥାଏ |

ସମ୍ମୋହିତ (ହିପ୍ନୋଟିକ୍) ପର୍ଯ୍ୟାୟରେ ବ୍ୟକ୍ତି ଅବଚେତନ ଅବସ୍ଥାକୁ ଚାଲି ଆସିଥାଏ ଏବଂ ଏହି ଅବସ୍ଥାରେ ତା’ଠାରୁ ସେହି ସବୁ ତଥ୍ୟ ହାସଲ କରିବା ସମ୍ଭାବନା ଥାଏ ଯାହା ସେ ସଚେତ ଅବସ୍ଥାରେ ପ୍ରକାଶ କରିନଥାଏ ।

ଅନ୍ୟ ତଥ୍ୟ ପ୍ରମାଣରୁ ମାମଲାର ଚିତ୍ର ସ୍ପଷ୍ଟ ନହେଲେ ଅନୁସନ୍ଧାନକାରୀ ସଂସ୍ଥା ଗୁଡ଼ିକ ନାର୍କୋ ଟେଷ୍ଟର ସହାୟତା ନେଇଥାନ୍ତି ।

ଦିଲ୍ଲୀ ପୋଲିସ ଏହା ପୂର୍ବରୁ କହିଥିଲା ​​ଯେ ପୁନାୱାଲା ପଚରାଉଚରା ବେଳେ ବିଭ୍ରାନ୍ତିକର ଉତ୍ତର ଦେଉଥିବାରୁ ତାଙ୍କ ନାର୍କୋ ଟେଷ୍ଟ ଆବଶ୍ୟକ । ଏଥିପାଇଁ ପୋଲିସ କୋର୍ଟଙ୍କ ଠାରୁ ଅନୁମତି ପାଇଥିଲା ।

ସମ୍ପୃକ୍ତ ବ୍ୟକ୍ତିଙ୍କ ସହମତି ବିନା ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଏବଂ ପଲିଗ୍ରାଫି ଟେଷ୍ଟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ଏହାଛଡ଼ା ନାର୍କୋ ଟେଷ୍ଟ ସମୟରେ ଦିଆଯାଇଥିବା ବୟାନ କୋର୍ଟରେ ପ୍ରାଥମିକ ପ୍ରମାଣ ଭାବେ ଗ୍ରହଣୀୟ ହୋଇନଥାଏ। କେବଳ କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏଗୁଡିକ ଏବଂ ମାମଲାର ତଥ୍ୟ ଏବଂ ପ୍ରକୃତି ଅନୁରୂପ ବୋଲି ହୃଦବୋଧ ହେଲେ ହିଁ କୋର୍ଟ ଏଭଳି ଟେଷ୍ଟରୁ ହାସଲ ତଥ୍ୟକୁ ଗ୍ରହଣ କରନ୍ତି ।

ଦକ୍ଷିଣ ଦିଲ୍ଲୀର ମେହରୌଲି ସ୍ଥିତ ଫ୍ଲାଟରେ ପୁନାୱାଲା (୨୮) ତାଙ୍କ ‘ଲିଭ୍-ଇନ୍ ପାର୍ଟନର’ ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି କାଟିଥିବା ଅଭିଯୋଗ ହୋଇଛି । ପରେ ସେ କଟା ଅଙ୍ଗଗୁଡ଼ିକୁ ୩୦୦ ଲିଟର ଫ୍ରିଜରେ ପ୍ରାୟ ତିନି ସପ୍ତାହ ଧରି ରଖିଥିଲେ । ପରେ ସହରର ବିଭିନ୍ନ ସ୍ଥାନରେ ଏହି କଟା ଅଙ୍ଗ ଗୁଡ଼ିକୁ ଫିଙ୍ଗି ଦେଇଥିଲେ। ତାଙ୍କୁ ନଭେମ୍ବର ୧୨ରେ ଗିରଫ କରାଯାଇଥିଲା।

Comments are closed.