‘ମୁଁ ଜଣେ ହିନ୍ଦୁ, ଚାହିଁଲେ ବିଫ୍ ଖାଇପାରିବି.. କେହି ରୋକିପାରିବେନି’

ବେଙ୍ଗାଲୁରୁ: କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୁଣି ଥରେ ବିଫ୍ (ଗୋମାଂସ) ବିବାଦରେ ଘିଅ ଢ଼ାଳଛନ୍ତି। ସେ କହିଛନ୍ତି ଯେ ସେ ଯେତେବେଳେ ଚାହିଁବେ ବିଫ୍ ଖାଇ ପାରିବେ। ଏକ କାର୍ଯ୍ୟକ୍ରମରେ ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) ଓ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି । ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ବିଜେପି ସରକାର ରାଜ୍ୟରେ ଗୋ ଚାଲାଣ ଓ ବିକ୍ରି ନିଷିଦ୍ଧ କରିଛନ୍ତି ।

ତୁମକୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ସିଦ୍ଧରମେୟା କହିଛନ୍ତି, ‘ମୁଁ ଜଣେ ହିନ୍ଦୁ। ମୁଁ ଏପର୍ଯ୍ୟନ୍ତ ବିଫ୍ ଖାଇ ନାହିଁ, କିନ୍ତୁ ମୁଁ ଚାହିଁଲେ ଖାଇପାରେ | ଏହା ମୋର ଅଧିକାର। ମୋତେ ଏନେଇ ପ୍ରଶ୍ନ କରିବାକୁ ତୁମେ କିଏ? ‘ “ବିଫ୍ କେବଳ ଗୋଟିଏ ସମ୍ପ୍ରଦାୟର ଲୋକ ଖାଉ ନାହାଁନ୍ତି, ହିନ୍ଦୁମାନେ ମଧ୍ୟ ବିଫ୍ ଖାଉଛନ୍ତି, ଖ୍ରୀଷ୍ଟିଆନମାନେ ମଧ୍ୟ ଖାଉଛନ୍ତି। କର୍ଣ୍ଣାଟକ ବିଧାନସଭାରେ ମୁଁ ଏହା ଥରେ କହିଥିଲି। ମୋତେ ବିଫ୍ ଖାଇବାରୁ ବାରଣ କରିବାକୁ ତୁମେ କିଏ?”

ସିଦ୍ଧରମୈୟା ମଧ୍ୟ ଆରଏସଏସ ଓ ବିଜେପି ଧର୍ମ ଆଧାରରେ ଦେଶକୁ ବିଭାଜିତ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ସେମାନେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରନ୍ତି। ଉଲ୍ଲେଖଯୋଗ୍ୟ ନିକଟରେ କର୍ଣ୍ଣାଟକରେ ହଲାଲ ମାଂସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

୨୦୨୧ରେ ରାଜ୍ୟର ବିଜେପି ସରକାର ଆଣିଥିବା ଆଇନ ଅନୁଯାୟୀ ଗୋରୁ କିଣିବା, ବିକ୍ରୟ କରିବା, ବଧ କରିବା ବେଆଇନ। ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ସାତ ବର୍ଷ ଜେଲ ଦଣ୍ଡ ହୋଇପାରେ।

Comments are closed.