ଲକ୍ଷ୍ମୀପୁର ଖେରୀ ହିଂସାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଲା ଏସ୍ଆଇଟି, ଆଶିଷ ମିଶ୍ରଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏସଆଇଟି ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଚାଷୀଙ୍କୁ ଗାଡିରେ ଦଳିବାର ପୁରା ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଅଭିଯୁକ୍ତଙ୍କ ଉପରେ ଲାଗୁ ହୋଇଥିବା ଦଫା ମଧ୍ୟ ଏବେ ଏସ୍ଆଇଟି ପରିବର୍ତ୍ତନ କରିଛି | କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ୧୪ ଅଭିଯୁକ୍ତଙ୍କ ବିରୋଧରେ ଉଦ୍ଦେଶ୍ୟ ବିହୀନ ହତ୍ୟା ପରିବର୍ତ୍ତେ ଏବେ ହତ୍ୟା ମାମଲା ରୁଜୁ କରାଯିବ।

ଲକ୍ଷ୍ମୀପୁର ଘଟଣାର ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲାଗିଥିବା ଦଫା ପରିବର୍ତ୍ତନ କରାଯାଇଛି। ସମସ୍ତ ଅଭିଯୁକ୍ତ ଜାଣିଶୁଣି ଯୋଜନା କରି ଅପରାଧ କରିଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅକ୍ଟୋବର ୩ରେ ଏକ କାର୍ଯ୍ୟକ୍ରମରେ କୃଷି ଆଇନକୁ ବିରୋଧ କରିବା ପରେ ଫେରୁଥିବା ବେଳେ ୟୁପିର ଲକ୍ଷ୍ମୀପୁର ଖେରୀର ଟିକୁନିଆରେ ଚାରିଜଣ ଚାଷୀଙ୍କୁ ଏକ ଏସୟୁଭି କାର ଧକ୍କା ଦେଇଥିଲା। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନି ଉପସ୍ଥିତ ଥିଲେ। ଏହି ଘଟଣାରେ ୪ ଚାଷୀଙ୍କ ସହ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ସାମ୍ବାଦିକ ରମଣ କାଶ୍ୟପ ମଧ୍ୟ ନିହତ ହୋଇଥିଲେ।

ଚାଷୀମାନେ ଅଭିଯୋଗ କରିଥିଲେ ଯେ ଏସୟୁଭି ଅଜୟ ମିଶ୍ର ଟେନିଙ୍କର ଏବଂ ଏଥିରେ ତାଙ୍କ ପୁଅ ଆଶିଷ ମିଶ୍ର ଥିଲେ। ଘଟଣାର ବହୁ ଦିନ ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା।

Comments are closed.