ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୬ ମୃତ | News Room Odisha

ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୬ ମୃତ

ହାଇଦ୍ରାବାଦ: ଏଠାକାର ଏକ ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଆଉ ୭ ଲୋକଙ୍କୁ ସୁରକ୍ଷିତ ବାହାର କରିଛନ୍ତି। ସୂଚନାନୁସାରେ, ଗୁରୁବାର (ମାର୍ଚ୍ଚ ୧୬) ସନ୍ଧ୍ୟାରେ ସିକନ୍ଦରାବଦର ସ୍ବପ୍ନାଲୋକ କମ୍ପ୍ଲେକ୍ସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଅନେକ ଲୋକ ଏହି ବିଲ୍ଡିଂରେ ଫସି ରହିଥିଲେ।

ବିଲ୍ଡିଂରେ ନିଆଁ ଲାଗିଯିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଲୋକଙ୍କୁ କମ୍ପ୍ଲେକ୍ସରୁ ବାହାର କରିଥିଲେ। ଉଦ୍ଧାରକାରୀ ଦଳ ହାଇଡ୍ରୋଲିକ୍ କ୍ରେନ୍ ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରିଥିଲେ । ସୂଚନାନୁସାରେ, କମ୍ପ୍ଲେକ୍ସର ତୃତୀୟ ମହଲାରେ ଫସି ରହିଥିବା ୭ ଜଣଙ୍କୁ ହାଇଡ୍ରୋଲିକ୍ କ୍ରେନ୍ ଦ୍ବାରା ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ବାହାର କରିଥିଲେ। ସେମାନଙ୍କ ମଧ୍ୟରେ ମହିଳା ମଧ୍ୟ ଥିଲେ ।

କିଛି ଲୋକ ବିଲ୍ଡିଂର ଚତୁର୍ଥ ଏବଂ ପଞ୍ଚମ ମହଲାରେ ମଧ୍ୟ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ନିଆଁ ଲାଗିବା ଯୋଗୁଁ ସେମାନେ ବାଥରୁମରେ ନିଜକୁ ବନ୍ଦ କରି ରଖିଥିଲେ, ଯାହା ଫଳରେ ସେମାନଙ୍କୁ ଉଦ୍ଧାରକାରୀ ଦଳ ଦେଖିପାରିନଥିଲେ। ପରେ ଉଦ୍ଧାରକାରୀ ଦଳ ୬ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇଥଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରମାନେ ମୃତ୍ୟୁର‌ କାରଣ ଶ୍ୱାସରୁଦ୍ଧ ବୋଲି କହିଛନ୍ତି। ଆହତମାନେ ଚିକିତ୍ସାଧୀନ ଅଛନ୍ତି।