ଆମେରିକା ଚିକାଗୋ ସହରରେ ପରେଡ୍ ବେଳେ ଆଖିବୁଜା ଗୁଳିମାଡ଼, ୬ ମୃତ, ୨୪ ଆହତ

ଚିକାଗୋ: ଆମେରିକାରେ ପୁଣି ଏକ ସର୍ବସାଧାରଣ ସ୍ଥାନରେ ଗୁଳିକାଣ୍ଡ ଘଟିଛି । ସୋମବାର ଚିକାଗୋ ନିକଟ ହାଇଲାଣ୍ଡ ପାର୍କରେ ସ୍ବାଧୀନତା ଦିବସ ପରେଡ୍ ବେଳେ ଜଣେ ଯୁବକ ହଠାତ୍ ଆଖିବୁଜା ଗୁଳିମାଡ଼ କରିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ଆକ୍ରମଣରେ ଅତି କମରେ ୨୪ ଜଣ ଆହତ ହୋଇଥିବା ଜଣାଯାଇଛି। ଏହି ଗୁଳିକାଣ୍ଡ ପାଇଁ ଜଣେ ୨୨ ବର୍ଷୀୟ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ହାଇଲାଣ୍ଡ ପାର୍କ ପୋଲିସ ମୁଖ୍ୟ ଦାବି କରିଛନ୍ତି। ପୋଲିସ ଏକ ରାଇଫଲ ମଧ୍ୟ ଜବତ କରିଛି।

ରାଷ୍ଟ୍ରପତି ଜୋ ବାଇଡେନ ଏହି ଆକ୍ରମଣରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଆକ୍ରମଣ ପରେ ହାଇଲାଣ୍ଡ ପାର୍କର ଲୋକଙ୍କୁ ସହାୟତା କରିବା ପାଇଁ ସେ ସ୍ଥାନୀୟ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ପରେଡ ଗୁଳିକାଣ୍ଡ ସମ୍ପର୍କରେ ଜାଣି ସେ ସ୍ତବ୍ଧ। ସେ ଆମେରିକାରେ ବନ୍ଧୁକ ହିଂସା ବିରୋଧରେ ଲଢ଼େଇ ଜାରି ରଖିବେ।

ପୋଲିସ କହିଛି ଯେ ଆକ୍ରମଣକାରୀ ଏକ ଉଚ୍ଚ ମହଲା କୋଠାର ଛାତରୁ ପରେଡ୍ ବାହାର କରୁଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲା, ଏହା ପରେ ଛୋଟ ପିଲାମାନଙ୍କ ସହ ଆସିଥିବା ଶହ ଶହ ଲୋକ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଆକ୍ରମଣ ପରେ ସନ୍ଦିଗ୍ଧ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ହାଇଲାଣ୍ଡ ପାର୍କ ପୋଲିସ ମୁଖ୍ୟ ଲୁ ଜୋଗମୟାନ କହିଛନ୍ତି ଯେ ଗିରଫ ହୋଇଥିବା ୨୨ ବର୍ଷୀୟ ଯୁବକଙ୍କ ପରିଚୟ ରବର୍ଟ ଏକ୍ରିମୋ ବୋଲି ଜଣା ପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆକ୍ରମଣକାରୀ କିପରି ଚିହ୍ନଟ ହୋଇଥିଲା, ପୋଲିସ ତାହା କହିବାକୁ ମନା କରିଦେଇଛି।

ଇଲିନୟ ରାଜ୍ୟପାଳ ଜୋ ରବର୍ଟ ପ୍ରିଜକର ଚେତାବନୀ ଦେଇ କହିଛନ୍ତି ଯେ ଗୁଳିକାଣ୍ଡ ଆମେରିକାରେ ଏକ ସାପ୍ତାହିକ ପରମ୍ପରାରେ ପରିଣତ ହୋଇଛି।

ପରେଡ ଆରମ୍ଭ ହେବାର ମାତ୍ର ୧୦ ମିନିଟ ପରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଗତ ମାସରେ ମଧ୍ୟ ଆମେରିକାରେ ଟେକ୍ସାସ, ବଫାଲୋ ସୁପରମାର୍କେଟ ସମେତ ଅନେକ ସ୍ଥାନରେ ଗୁଳିକାଣ୍ଡ ଘଟଣା ଘଟିଥିଲା ।

Comments are closed.