ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା, ପ୍ରଥମ ମ୍ୟାଚରୁ ବଞ୍ଚିତ ହୋଇପାରନ୍ତି ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ମାର୍ଚ୍ଚ ୨୭ ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ଆଇପିଏଲ୍ ମ୍ୟାଚରୁ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ବଞ୍ଚିତ ହେବେ। ଏହାର କାରଣ ହେଉଛି ତାଙ୍କ ଆଘାତ ସମସ୍ୟା । ସେ ଆଇପିଏଲର ଏହି ମ୍ୟାଚ୍ ବେଳକୁ ତାଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ନାହିଁ | ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ବଜାୟ ରଖାଯାଇଥିବା ଚାରି ଖେଳାଳିଙ୍କ ମଧ୍ୟରୁ ସୂର୍ଯ୍ୟକୁମାର ଆହତ ହୋଇଥିଲେ । ଏହି କାରଣରୁ ସେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଖେଳିପାରିନଥିଲେ।

ବିସିସିଆଇର ଏକ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, “ସୂର୍ଯ୍ୟକୁମାରଙ୍କ ବର୍ତ୍ତମାନ ଏନସିଏରେ ଫିଟନେସ୍ କାର୍ଯ୍ୟକ୍ରମ ଚାଲିଛି। ସେ ସୁସ୍ଥ ଅଛନ୍ତି କିନ୍ତୁ ପ୍ରଥମ ମ୍ୟାଚରେ ଖେଳିବା ନିଶ୍ଚିତ ନୁହେଁ। ତେଣୁ ବୋର୍ଡର ଡାକ୍ତରୀ ଦଳ ତାଙ୍କୁ ପ୍ରଥମ ମ୍ୟାଚରେ ଖେଳାଇବା ରିସ୍କ ନ ନେବାକୁ ପରାମର୍ଶ ଦେଇପାରନ୍ତି |

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟକ ରୋହିତ ଶର୍ମା ଏବଂ ୧୫.୨୫ କୋଟି ଟଙ୍କାରେ କିଣାଯାଇଥିବା ଇଶାନ କିଶାନଙ୍କ ପରେ ସୂର୍ଯ୍ୟକୁମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍। ମୁମ୍ବାଇ ଇଣ୍ଡିଆନ୍ସ ଦଳ ମଧ୍ୟ ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରି କୌଣସି ରିସ୍କ ନେବାକୁ ଚାହିଁବନି। ପ୍ରଥମ ମ୍ୟାଚର ପାଞ୍ଚ ଦିନ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଏପ୍ରିଲ୍ ୨ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ବେଳକୁ ସୂର୍ଯ୍ୟକୁମାର ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି ।

ବିସିସିଆଇ ଅଧିକାରୀ ଜଣକ କହିଛନ୍ତି, ‘ମୁଁ ଭାବୁଛି ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ମ୍ୟାଚ୍ ବେଳକୁ ସେ ଶତପ୍ରତିଶତ ମ୍ୟାଚ୍ ଫିଟ୍ ହୋଇଯିବେ । ଯଦି ସେ ପ୍ରଥମ ମ୍ୟାଚ୍ ଖେଳନ୍ତି ନାହିଁ ତେବେ ଏହା ଏକ ସତର୍କତାମୂଳକ ପଦକ୍ଷେପ ହେବ। ’ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଚମତ୍କାର ଫର୍ମରେ ଥିଲେ। ସେ ପ୍ଲେୟାର ଅଫ୍ ଦି ସିରିଜ୍ ମଧ୍ୟ ବିବେଚିତ ହୋଇଥିଲେ ।

ଖେଳ ସ୍ଥିତି ବିଷୟରେ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜ୍କୁ ସୂଚନା ଦେଇଛି, ଯେଉଁଥିରେ ପ୍ରତ୍ୟେକ ଦଳକୁ ଦୁଇଟି ଡିଆରଏସ୍ ଅନ୍ତର୍ଭୁକ୍ତ | ମେରିଲେବୋନ କ୍ରିକେଟ୍ କ୍ଲବ (ଏମସିସି) ର ସମସ୍ତ ନୂତନ ନିୟମ ଟୁର୍ନାମେଣ୍ଟ ସମୟରେ ଲାଗୁ ହେବ | ବଲକୁ ଚମକାଇବା ପାଇଁ ଲାଳ ପ୍ରୟୋଗ କରିବାକୁ ଅନୁମତି ଦିଆଯିବ ନାହିଁ । କୋଭିଡ -୧୯ ଯୋଗୁଁ ଏହି କଟକଣା ଲାଗୁ ହୋଇଥିଲା । କିନ୍ତୁ ଏହାକୁ ଏବେ ସ୍ଥାୟୀ ଭାବରେ ଲାଗୁ କରାଯାଇଛି | ଅକ୍ଟୋବରରୁ ଏମସିସିର ନୂତନ ନିୟମ ଲାଗୁ ହେବ |

Comments are closed.