ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର, ପରିବାର ଲୋକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରାଜୁଙ୍କ ପୁତୁରା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା କଥା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପରିବାରକୁ ସୂଚନା ଦେଇଛନ୍ତି ।

ଡାକ୍ତରମାନେ କହିଛନ୍ତି ଯେ ବର୍ତ୍ତମାନ ରାଜୁ ଶ୍ରୀବାସ୍ତବଙ୍କୁ ଏକ ଟ୍ୟୁବ୍ ମାଧ୍ୟମରେ ତରଳ ଖାଦ୍ୟ ଦିଆଯିବା ଆରମ୍ଭ ହୋଇଛି । ଏହାଛଡା ବର୍ତ୍ତମାନ ଚାଲିଥିବା ଚିକିତ୍ସା ସକାରାତ୍ମକ ଫଳ ଦେଖାଉଛି | କିନ୍ତୁ ତାଙ୍କ ହୃତପିଣ୍ଡ ଚାଲୁଥିଲେ ମଧ୍ୟ ମସ୍ତିଷ୍କ ସମ୍ପୂର୍ଣ୍ଣ କାମ କରୁନାହିଁ । ଏବେ ବି ସେ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି । ଚେତା ଫେରିବାକୁ ଆହୁରି କିଛି ସମୟ ଲାଗିବ ବୋଲି ଡ଼ାକ୍ତର କହିଛନ୍ତିି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଚିକିତ୍ସା ପାଇଁ ସବୁ ପ୍ରକାର ସହାୟତା ନେଇ ପ୍ରଧାନମନ୍ତ୍ରୀ ଶ୍ରୀବାସ୍ତବଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏମ୍ସର ଆଇସିୟୁରେ ଭେଣ୍ଟିଲେଟରରେ ଅଛନ୍ତି | ଏହି ୫୮ ବର୍ଷୀୟ ଷ୍ଟାଣ୍ଡ ଅପ୍ କମେଡିଆନ୍ ହୃଦଘାତରେ ପୀଡିତ ହେବା ପରେ ବୁଧବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ପରେ ତାଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

Comments are closed.