ସୋନାଲି ଫୋଗଟଙ୍କୁ ଜୋର୍ ଜବରଦସ୍ତି ଡ୍ରଗ୍ସ ଦିଆଯାଇଥିଲା, ଦୁଇ ଘଣ୍ଟା ଟଏଲେଟରେ ରଖାଯାଇଥିଲା, ଦୁଇ ଅଭିଯୁକ୍ତ ଗିରଫ

ପାଣାଜୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସୋନାଲି ଫୋଗଟଙ୍କ ହତ୍ୟା ମାମଲାରେ ପୋଲିସ ଏକ ବଡ଼ ଖୁଲାସା କରିଛି। ଏହି ହତ୍ୟାକାଣ୍ଡ ଘଟଣାରେ ତାଙ୍କର ଦୁଇ ସହଯୋଗୀଙ୍କୁ ଗୋଆ ପୋଲିସ ରାତିସାରା ପଚରାଉଚରା କରିଥିଲା। ଏହି ସମୟରେ ସୋନାଲି ଫୋଗଟଙ୍କୁ ଡ୍ରଗ୍ସ ଦିଆଯାଇଥିବା ଜଣାପଡିଛି। ଗୋଆ ପୋଲିସ କହିଛି ଯେ ସୋନାଲିଙ୍କୁ ଜବରଦସ୍ତି ଡ୍ରଗ୍ସ ଦିଆଯାଇଥିଲା ଏବଂ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଟଏଲେଟରେ ରଖାଯାଇଥିଲା । ପଚରାଉଚରା ବେଳେ ସୋନାଲିଙ୍କ ବ୍ୟକ୍ତିଗତ ସହାୟକ (ପିଏ) ସୁଧୀର ସାଙ୍ଗୱାନ ଏବଂ ବନ୍ଧୁ ସୁଖବିନ୍ଦର ଭାସି ମଧ୍ୟ ସୋନାଲିଙ୍କୁ ଜବରଦସ୍ତ ଡ୍ରଗ୍ସ ଦେଇଥିବା ସ୍ୱୀକାର କରିଛନ୍ତି। ପୋଲିସ ସାଙ୍ଗୱାନ ଓ ଭାସିଙ୍କୁ ଗିରଫ କରିଛି ।

ପୋଲିସ କହିଛି ଯେ ସୁଧୀର, ସୁଖୱିନ୍ଦର ଏବଂ ସୋନାଲି ଯେଉଁ ଆଡ଼େ ଯାଇଥିଲା ପୋଲିସ ସେହି ସବୁ ସ୍ଥାନକୁ ଯାଇ ତଦନ୍ତ କରିଥିଲା ଏବଂ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରିଥିଲା । ଯେତେବେଳେ ଅଭିଯୁକ୍ତଙ୍କୁ କଡ଼ା ପଚରାଉଚରା କରାଯାଇଥିଲା, ସେମାନେ ପ୍ରଥମେ କିଛି କହି ନଥିଲେ। କିନ୍ତୁ ଯେତେବେଳେ ପୋଲିସ ଅଭିଯୁକ୍ତଙ୍କୁ ଏକ ଭିଡ଼ିଓ ଦେଖାଇଥିଲା, ସେତେବେଳେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ​​ଯେ ସେମାନେ ସୋନାଲି ଫୋଗଟଙ୍କୁ ଜବରଦସ୍ତ ଡ୍ରଗ୍ସ ଦେଇଥିଲେ।

ପୋଲିସ କହିଛି ଯେ ସିସିଟିଭି ଫୁଟେଜରେ ଅନେକ ଲୋକ ପାର୍ଟି କରୁଥିବା ଦେଖାଯାଇଛି। ସୁଧୀର ଏବଂ ସୁଖୱିନ୍ଦର ସୋନାଲିଙ୍କୁ ଡ୍ରିଙ୍କ୍ସରେ କିଛି ମିଶାଇ ତାଙ୍କୁ ପିଇବାକୁ ବାଧ୍ୟ କରୁଛନ୍ତି | ସୋନାଲି ନିଜ ଉପରେ ନିୟନ୍ତ୍ରଣ ହରାଇଛନ୍ତି ଏବଂ ତାଙ୍କୁ ପୁଣିଥରେ ସେହି ଡ୍ରିଙ୍କ୍ସ ଦିଆଯାଉଛି | ଏହା ପରେ ସୋନାଲିଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା ଏବଂ ଅଭିଯୁକ୍ତ ତାଙ୍କୁ ଏକ ଟ୍ୟାକ୍ସିରେ ନେଇଯାଉଥିବା ଦେଖିବାକୁ ମିଳୁଛି ।

ସୋନାଲି, ସୁଖୱିନ୍ଦର ଏବଂ ସୁଧୀରଙ୍କୁ ଛାଡିଥିବା ଟ୍ୟାକ୍ସି ଡ୍ରାଇଭରକୁ ଖୋଜା ଚାଲିଥିବା ପୋଲିସ କହିଛି। ଡ୍ରାଇଭରକୁ ପଚରାଉଚରା କରିବା ପରେ ଏହି ଘଟଣାରେ ଅଧିକ ଲିଙ୍କ୍ ମିଳିବ ।ଏ ସଂପର୍କରେ ରୁଜୁ ହୋଇଥିବା ଏଫ୍ଆଇଆରରେ ନାମିତ ସୁଧୀର ସାଙ୍ଗୱାନ୍ ଏବଂ ସୁଖବିନ୍ଦର ଭାସିଙ୍କୁ ଗିରଫ କରାଯାଇଛି ବୋଲି ଅଧିକାରୀ କହିଛନ୍ତି।

ଟିକଟକ୍ ଷ୍ଟାର୍ ଭାବେ ଖ୍ୟାତି ଅର୍ଜନ କରିଥିବା ହରିୟାଣାର ଏହି ୪୨ ବର୍ଷୀୟା ବିଜେପି ନେତ୍ରୀଙ୍କୁ ମଙ୍ଗଳବାର ସକାଳେ ଉତ୍ତର ଗୋଆ ଜିଲ୍ଲାର ଅଞ୍ଜୁନା ସ୍ଥିତ ସେଣ୍ଟ ଆନ୍ଥୋନୀ ହସ୍ପିଟାଲକୁ ମୃତ ଅବସ୍ଥାରେ ଅଣାଯାଇଥିଲା। ଜଣେ ପୋଲିସ ଅଧିକାରୀ ଏହା ପୂର୍ବରୁ କହିଥିଲେ ଯେ ବୋଧହୁଏ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏହା ପରେ ପୋଲିସ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପୋଲିସ ହତ୍ୟା ମାମଲା ରୁଜୁ କରିଥିଲା । ଗୁରୁବାର ସୋନାଲିଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ତାଙ୍କ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତଚିହ୍ନ ଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ।

Comments are closed.