କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି, ସୋନିଆ ହିଁ ରହିବେ ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ ଆଜି ଡକାଯାଇଥିବା କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁଡିସି) ବୈଠକ ଶେଷ ହୋଇଛି। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସୋନିଆ ଗାନ୍ଧୀ ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଜାରି ରଖିବେ। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ସିଡବ୍ଲ୍ୟୁଡିସି ବୈଠକରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବୈଠକରେ ଉପସ୍ଥିତ ଦଳର ସମସ୍ତ ନେତା ଏହାକୁ ଗ୍ରହଣ କରିନଥିଲେ ।

ଅନ୍ୟପଟେ କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସିଡବ୍ଲ୍ୟୁଡିସି ବୈଠକରେ ଉପସ୍ଥିତ ସମସ୍ତ ନେତା ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଭରସା ପ୍ରକଟ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ସମେତ ପରବର୍ତ୍ତୀ ସମସ୍ତ ବିଧାନସଭା ନିର୍ବାଚନର ​​ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୁରଜେୱାଲା କହିଛନ୍ତି।

ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ସମସ୍ତଙ୍କର ଆସ୍ଥା ରହିଛି। ସେ ଦଳର ନେତୃତ୍ୱ ନେବେ। ଦଳକୁ ମଜବୁତ କରିବାର ରଣନୀତି ବୈଠକରେ ଆଲୋଚନା କରାଯାଇଥିଲା। ସିଡବ୍ଲ୍ୟୁଡିସି ବୈଠକରେ ଗୁଲାମ ନବି ଆଜାଦ, ଦିଗବିଜୟ ସିଂହଙ୍କ ସମେତ ବରିଷ୍ଠ ନେତାମାନେ ନିର୍ବାଚନରେ ​​କେଉଁଠି ଭୁଲ୍ ହୋଇଥିଲା ସେନେଇ ସମୀକ୍ଷା କରାଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଗଣମାଧ୍ୟମକୁ କହିଥିଲେ ଯେ ରାହୁଲ ଗାନ୍ଧୀ କଂଗ୍ରେସ ଦଳର ନେତୃତ୍ବ ନେବା ଉଚିତ୍। ପରାଜୟକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଗେହଲୋଟ୍ କହିଥିଲେ। ନିର୍ବାଚନ ସମୟରେ ବିଜେପି ହିନ୍ଦୁ-ମୁସଲମାନ କରେ ଏବଂ ବେକାରୀ, ଦରବୃଦ୍ଧି ଭଳି ପ୍ରସଙ୍ଗକୁ ଭୁଲି ଯାଇଥାଏ |

Comments are closed.