ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ଛାଡ଼ି ଜୟପୁର ପଳାଇବେ ସୋନିଆ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଦୂଷଣ ଏବେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧିଙ୍କ ପାଇଁ ମଧ୍ୟ ଅସହ୍ୟ ହୋଇଛି । ସେଥିପାଇଁ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସେ କିଛି ଦିନ ଜୟପୁରରେ ରହିବେ । ଦୀପାବଳି ପରଠୁ ଦିଲ୍ଲୀ ପ୍ରଦୂଷଣ ପୁଣି ସାଂଘାତିକ ହେବାରେ ଲାଗିଛି। ଅନେକ ସ୍ଥାନରେ ବାୟୁ ମାନ ‘ଗମ୍ଭୀର’ ବର୍ଗରେ ପହଞ୍ଚିଛି | ସୋନିଆ ଗାନ୍ଧୀଙ୍କ ଶ୍ୱାସ ରୋଗ ଥିବାରୁ ଦିଲ୍ଲୀ ପ୍ରଦୂଷଣ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଡାକ୍ତରମାନେ ତାଙ୍କୁ କିଛି ଦିନ ପାଇଁ ଏପରି ସ୍ଥାନକୁ ଯିବାକୁ କହିଛନ୍ତି ଯେଉଁଠାରେ ପ୍ରଦୂଷଣ ଅପେକ୍ଷାକୃତ କମ୍ ରହିଛି।

ସୋନିଆ ଗାନ୍ଧୀ ଏବେ ଜୟପୁର ଯିବେ ବୋଲି କୁହାଯାଉଛି। ଗୋଲାପୀ ନଗରୀ ଭାବେ ପରିଚିତ ଜୟପୁର ଏବେ ସୋନିଆଙ୍କ ନୂଆ ଠିକଣା ପାଲଟିବ । ଜୟପୁରରେ ବାୟୁ ଗୁଣବତ୍ତା ଅପେକ୍ଷାକୃତ ଭଲ ରହିଛି | କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ମାଙ୍କୁ ଭେଟିବାକୁ ଯାଇପାରନ୍ତି। ନିର୍ବାଚନ ପ୍ରଚାର ମଧ୍ୟରେ ସେ ସମୟ ବାହାର କରି ଜୟପୁରରେ ତାଙ୍କ ମାଙ୍କ ସହ ଗୋଟିଏ ଦିନ ରହିବେ।

ପ୍ରଦୂଷଣ ଯୋଗୁଁ ସୋନିଆ ଗାନ୍ଧୀ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଯିବା ଏହା ପ୍ରଥମ ଘଟଣା ନୁହେଁ। ୨୦୨୦ରେ ମଧ୍ୟ ସେ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ଛାଡ଼ି କିଛି ଦିନ ପାଇଁ ଗୋଆ ପଳାଇଥିଲେ । ସ୍ବାସ୍ଥ୍ୟଗତ କାରଣରୁ ସୋନିଆ ରାଜନୀତିରେ ଆଗଭଳି ସେତେ ସକ୍ରିୟ ରହୁ ନାହାଁନ୍ତି। ବିଶେଷକରି ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ସଭାପତି ହେବା ପରେ ସେ ବ୍ଯାକସିଟ୍ ନେଇଛନ୍ତି ।

Comments are closed.