ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ, ଭାଷା ଆଧାରରେ ଦେଶକୁ ଭାଗ କରାନଯାଉ : ସୋନୁ ନିଗମ

ନୂଆଦିଲ୍ଲୀ: ହିନ୍ଦୀ ଜାତୀୟ ଭାଷା କି ନୁହେଁ ସେନେଇ ନିକଟରେ ଅଜୟ ଦେବଗନ ଓ କନ୍ନଡ଼ ଅଭିନେତା କିଚା ସୁଦୀପଙ୍କ ମଧ୍ୟରେ ବିବାଦ ଉପରେ ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ ନିଜ ମତ ରଖିଛନ୍ତି । ସୋନୁ ନିଗମ କହିଛନ୍ତି ଯେ ହିନ୍ଦୀ ଦେଶର ଜାତୀୟ ଭାଷା ନୁହେଁ ଏବଂ ଏହାକୁ ଅଣ-ହିନ୍ଦୀ ଭାଷାଭାଷୀ ଲୋକଙ୍କ ଉପରେ ଲଦିବା ଠିକ୍ ହେବ ନାହିଁ । ଏହା ଦ୍ଵାରା କେବଳ ଲୋକଙ୍କ ମଧ୍ୟରେ ବିଦ୍ୱେଷ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ହିନ୍ଦୀକୁ ନେଇ ନିକଟରେ ବଲିଉଡ ଷ୍ଟାର୍ ଅଜୟ ଦେବଗନ ଏବଂ କନ୍ନଡ ଅଭିନେତା କିଚା ସୁଦୀପଙ୍କ ମଧ୍ୟରେ ଟ୍ବିଟର ଲଢ଼େଇ ପରେ ସୋନୁ ନିଗମଙ୍କ ଏହି ମନ୍ତବ୍ୟ ଆସିଛି ।

ଅଜୟ ଦେବଗନ୍ ଟ୍ୱିଟରରେ ସୁଦୀପଙ୍କୁ କହିଥିଲେ, “ହିନ୍ଦୀ ଯଦି ଆମର ଜାତୀୟ ଭାଷା ନୁହେଁ, ତେବେ ତୁମେ ତୁମର ଫିଲ୍ମ (କେଜିଏଫ୍-୨)କୁ କାହିଁକି ହିନ୍ଦୀରେ ଡବ୍ କରୁଛ? ହିନ୍ଦୀ ଆମର ମାତୃଭାଷା ଏବଂ ଜାତୀୟ ଭାଷା ଅଟେ ଏବଂ ସର୍ବଦା ରହିବ।

ହିନ୍ଦୀ ଦେଶର ଜାତୀୟ ଭାଷା ନୁହେଁ ବୋଲି କିଚା ସୁଦୀପଙ୍କ ଏକ ମନ୍ତବ୍ୟର‌ ପ୍ରତିକ୍ରିୟାରେ ଅଜୟ ଦେବଗନ୍ ଏପରି କହିଥିଲେ । ଏବଂ ସେ ଏହି ଟ୍ବିଟ୍ ହିନ୍ଦୀରେ ହିଁ କରିଥିଲେ।

ଏକ କାର୍ଯ୍ୟକ୍ରମରେ ସୋନୁ ନିଗମଙ୍କୁ ପଚରାଯାଇଥିଲା, ‘ହିନ୍ଦୀ ଦେଶର ଜାତୀୟ ଭାଷା’ ବିତର୍କ ଉପରେ ତାଙ୍କର ଆଭିମୁଖ୍ୟ କ’ଣ?

ସୋନୁ ନିଗମ ଏହା ଉପରେ ସ୍ପଷ୍ଟ ଭାବେ କହିଥିଲେ, “ମୁଁ ଭାବୁ ନାହିଁ ଯେ ସମ୍ବିଧାନର କୌଣସି ସ୍ଥାନରେ ଲେଖା ହୋଇଛି ଯେ ହିନ୍ଦୀ ଆମର ଜାତୀୟ ଭାଷା। ଏହା ହୁଏତ ସବୁଠାରୁ କଥିତ ଭାଷା ହୋଇପାରେ। ମୁଁ ଏହାକୁ ବୁଝିପାରୁଛି କିନ୍ତୁ ଏହା ଜାତୀୟ ଭାଷା ନୁହେଁ।” ଭାଷା ଆଧାରରେ ଦେଶକୁ ବିଭାଜନ କରିବା ଉଦ୍ୟମକୁ ସୋନୁ ସମାଲୋଚନା କରିଛନ୍ତି ।

ଆମେ ଏସବୁ କାହିଁକି କରୁଛୁ? ଏହି ବିତର୍କ କାହିଁକି ହେଉଛି ବୋଲି ସୋନୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଅନ୍ୟ ଦେଶ ସହ ଆମର କ’ଣ କିଛି ବିବାଦ ନାହିଁ ଯେ ଆମେ ଭାଷା ପାଇଁ ନିଜ ଦେଶରେ ନୂଆ ବିବାଦ ସୃଷ୍ଟି କରୁଛେ । ଭାଷା ପାଇଁ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରାଯାଉଛି | ଏହା ଠିକ୍ ନୁହେଁ । ଅନ୍ୟ ଭାଷାଭାଷୀ ଲୋକ କାହିଁକି ହିନ୍ଦୀ କହିବେ ? ଲୋକେ ଯେଉଁ ଭାଷା ଚାହୁଁଛନ୍ତି ସେମାନଙ୍କୁ ସେହି ଭାଷା କହିବାକୁ ଦିଆଯାଉ | ଆପଣ ସେହି ଲୋକମାନଙ୍କୁ କାହିଁକି କେବଳ ଗୋଟିଏ ଭାଷା କହିବାକୁ ବାଧ୍ୟ କରୁଛନ୍ତି | ସୋନୁ ନିଗମ କହିଛନ୍ତି ଯେ ଯଦି ଅଣ ହିନ୍ଦୀ ଭାଷୀଙ୍କ ମଧ୍ୟରେ ଇଂରାଜୀ କହିବା ଲୋକ ଅଧିକ ଅଛନ୍ତି, ତେବେ ଏହା ଏକ ସମସ୍ୟା ହେବା ଉଚିତ ନୁହେଁ

Comments are closed.