କ୍ଳାସେନ୍ ବିସ୍ଫୋରଣ ପରେ ଇଂଲଣ୍ଡର ସରେଣ୍ଡର୍‌, ୨୨୯ ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ପାଇଁ ଚଳିତ ବିଶ୍ୱକପ ଦୁଃସ୍ୱପ୍ନ ପାଲଟିଛି । ଆଫଗାନିସ୍ତାନ ଠାରୁ ଅପ୍ରତ୍ୟାଶିତ ପରାଜୟ ପରେ ଇଂଲଣ୍ଡ ଏବେ ଦକ୍ଷିଣ ଆଫ୍ରିକା ନିକଟରେ ସରେଣ୍ଡର କରିଛି । ହାଇନରିଚ୍ କ୍ଲାସେନଙ୍କ ବିସ୍ଫୋରକ ଶତକ ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ବିଶ୍ୱକପର ୨୦ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨୨୯ ରନ୍‌ର ବଡ଼ ବ୍ୟବଧାନରେ ଇଂଲଣ୍ଡକୁ ଧରାଶାୟୀ କରିଛି । ଗତ ମ୍ୟାଚରେ ନେରଦଲାଣ୍ଡ୍‌ସ ଠାରୁ ହାରିିବା ପରେ ଏହି ବୃହତ୍ ବିଜୟ ସହ ନିଭ ଅଭିଯାନକୁ ଟ୍ରାକ୍‌କୁ ଆଣିଛି । ଚାରିଟି ମ୍ୟାଚରୁ ଦକ୍ଷିଣ ଆଫ୍ରିକାର ଏହା ତୃତୀୟ ବିଜୟ । ଦଳ ଏବେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି । ଅନ୍ୟପଟେ ଇଂଲଣ୍ଡ ୪ଟି ମ୍ୟାଚରୁ ତୃତୀୟ ପରାଜୟ ବରଣ କରି ନବମ ସ୍ଥାନକୁ ଖସିଛି ।

ଅନ୍ତର୍ଜାତୀୟ ଦିନିକିଆରେ ଇଂଲଣ୍ଡର ଏହା ସବୁଠୁ ବଡ଼ ପରାଜୟ । ଏହା ପୂର୍ବରୁ ୨୦୨୨ରେ ଅଷ୍ଟ୍ରେଲିଆ ଠାରୁ ୨୨୧ ରନରେ ହାରିଥିଲା ଇଂଲଣ୍ଡ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ଲଜ୍ଜାଜନକ ପରାଜୟ ପରେ ଚଳିତ ବିଶ୍ୱକପରେ ଇଂଲଣ୍ଡର ସେମିଫାଇାନାଲ୍ ପଥ କଷ୍ଟକର ହୋଇଯାଇଛି ।

ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ତାଙ୍କର ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା । ଇଂଲଣ୍ଡ ବୋଲରମାନେ ଦକ୍ଷିଣ ଆଫ୍ରିିକା ବ୍ୟାଟିଂ ଲାଇନ୍ ଅପକୁ ରୋକିବାରେ ବିଫଳ ହୋଇଥିଲେ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା କ୍ଲାସେନଙ୍କ ବିସ୍ଫୋରକ ଶତକ ସାଙ୍ଗକୁ ରିଜା ହେଣ୍ଡ୍ରିକ୍ସ, ରାସି ଭାନ୍ ଡୁର ଡୁସେନ୍ ଓ ମାର୍କୋ ୟାନସେନ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ୭ ୱିକେଟ୍ ହରାଇ ୩୯୯ ରନ୍‌ର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ଇଂଲଣ୍ଡ ମାତ୍ର ୨୨ ଓଭରରେ ୯ ୱିକେଟ୍ ହରାଇ ୧୭୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆହତ ଯୋଗୁଁ ରିସ୍ ଟପ୍‌ଲେ ବ୍ୟାଟିଂ କରିନଥିଲେ । ଇଂଲଣ୍ଡ ତରଫରୁ କେବଳ ଦୁଇ ନିମ୍ନଭାଗ ବ୍ୟାଟର ମାର୍କ ଉଡ୍ (ଅପରାଜିତ ୪୩) ଓ ଗୁସ୍ ଆଟକିନସନ୍ (୩୫) ସର୍ବୋଚ୍ଚ ସ୍କୋରର ହୋଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଜେରାଲ୍ଡ କୋଏଜିି ୩ଟି ୱିକେଟ୍ ନେଇଥିବା ବେଳେ ଲୁନ୍‌ଗି ଏନ୍‌ଗିଡି ଓ ମାର୍କୋ ୟାନସେନ୍ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଶତକୀୟ ଇନିଂସ୍ ପାଇଁ କ୍ଲାସେନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଶୀଘ୍ର କ୍ୱିଣ୍ଟନ୍ ଡି’କକ୍ (୪)ଙ୍କ ୱିକେଟ୍ ହରାଇଥିଲା । ହେଲେ ହେଣ୍ଡ୍ରିକ୍ସ (୮୫) ଓ ଭାନ୍ ଡୁର ଡୁସେନ୍ (୬୦) ପାଳି ସମ୍ଭାଳି ଦ୍ୱିତୀୟ ୱିକେଟ୍‌ରେ ୧୨୧ ରନ୍ ଯୋଗ କରିଥିଲେ । ଏହାପରେ କ୍ଳସେନ୍ ଛକା, ଚୌକା ବର୍ଷା କରିଥିଲେ । କ୍ଲାସେନ୍ ୬୭ ବଲରେ ୧୨ଟି ଚୌକା ଓ ୪ଟି ଛକା ସହ ୧୦୯ ରନ୍ କରିଥିଲେ । ତାଙ୍କୁ ଉପଯୁକ୍ତ ସହାୟତା ଯୋଗାଇଥିଲେ ୟାନସେନ୍ । ସେ ମାତ୍ର ୪୨ଟି ବଲ୍‌ରେ ୩ଟି ଚୌକା ଓ ୬ଟି ଛକା ସହ ଅପରାଜିତ ୭୫ ରନ୍ କରିିଥିଲେ । କ୍ଳାସେନ୍ ଓ ୟାନସେନ୍ ମାତ୍ର ୭୭ ବଲରେ ୧୫୧ ରନ୍ ଯୋଗ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇ ୩୯୯ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଏହା ସର୍ବୋଚ୍ଚ ସ୍କୋର ।

ଇଂଲଣ୍ଡ ପକ୍ଷରୁ ଟପ୍‌ଲେ ୩ଟି ୱିକେଟ୍ ନେଇଥିବା ବେଳେ ଆଟକିଟସନ୍ ଓ ଆଦିଲ ରସିଦ୍ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

Comments are closed.