ଦ୍ୱିତୀୟ ଦିନିକିଆ: ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି; ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଜି ଏଠାରେ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଉଭୟ ଦଳରେ ଦୁଇଟି ଲେଖାଏଁ ପରିବର୍ତ୍ତନ ହୋଇଛି । ରବି ବିଷ୍ଣୋଇ ଓ ଋତୁରାଜ ଗାଏକୱାଡଙ୍କ ସ୍ଥାନରେ ଶାହବାଜ ଅହମ୍ମଦ ଓ ଓ୍ବାଶିଂଟନ ସୁନ୍ଦର ଖେଳୁଛନ୍ତି । ଅହମ୍ମଦଙ୍କୁ ଏହା ଡେବ୍ୟୁ ମ୍ୟାଚ୍ । ସେହିପରି ଅସୁସ୍ଥତା କାରଣରୁ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ଓ ସ୍ପିନର ତାବ୍ରେଜ ଶାମସି ଏହି ମ୍ୟାଚରେ ଖେଳୁନାହାନ୍ତି । ବଭୁମାଙ୍କ ସ୍ଥାନରେ କେଶବ ମହାରାଜ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଉଛନ୍ତି ।

ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୧ରେ ପଛୁଆ ଥିବା ଟିମ୍ ଇଣ୍ଡିଆ କର ବା ମର ପରିସ୍ଥିତିର ସମ୍ମୁଖୀନ ହୋଇଛି । ସିରିଜ୍ ବଞ୍ଚାଇବା ପାଇଁ ଭାରତ ଉନ୍ନତ ପ୍ରଦର୍ଶନ ସହ ଏହି ମ୍ୟାଚ୍ ଜିତିବାକୁ ଚାହିଁବ । ହେଲେ ଗୋଇଠିରେ ଆଘାତ ଯୋଗୁଁ ସିରିଜରୁ ବାଦ୍ ପଡ଼ିଥିବା ପେସର ଦୀପକ ଚହରଙ୍କ ଅନୁପସ୍ଥିତି ଯୋଗୁଁ ଭାରତର ସମସ୍ୟା ବଢିଛି ।

ଆଘାତ ଯୋଗୁଁ ଚହର ଏହି ସିରିଜରୁ ବାଦ୍ ପଡ଼ିବା ପୁଣିଥରେ ଦଳକୁ ଆତ୍ମ ମନ୍ଥନ କରିବାକୁ ବାଧ୍ୟ କରିଛି । କାରଣ ଭାରତ ପାଖରେ ସମ୍ପ୍ରତି ବୋଲିଂ ବିକଳ୍ପ ସୀମିତ । ମହମ୍ମଦ ସିରାଜ ଓ ଅବେଶ ଖାନ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିପାରି ନାହାଁନ୍ତି । ଏଭଳି ସ୍ଥିତିରେ ପ୍ରଥମ ଥର ଭାରତୀୟ ଦଳକୁ ଡକରା ପାଇଥିବା ବେଙ୍ଗଲ ପେସର ମୁକେଶ କୁମାରଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ସୁଯୋଗ ମିଳିପାରେ ।

ଅନ୍ୟପକ୍ଷରେ ଟି୨୦ ବିଶ୍ୱକପ ପାଇଁ ରିଜର୍ଭ ତାଲିକାରେ ଥିବା ବ୍ୟାଟର ଶ୍ରେୟସ ଆୟରଙ୍କୁ ରନ୍ କରିବାକୁ ପଡ଼ିବ । ଏହି ସିରିଜ ପାଇଁ ଉପଅଧିନାୟକ ଥିବା ଆୟର ପ୍ରଥମ ଦିନିକିଆରେ ଏକ ଅର୍ଦ୍ଧଶତକ ସହ ଭାରତକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ସର୍ଟ ବଲ୍ ଖେଳିବାରେ ଦୁର୍ବଳତା ଓ ଧିମା ଷ୍ଟ୍ରାଇକ୍ ରେଟ୍ ପାଇଁ ସମାଲୋଚିତ ହେଉଥିବା ଆୟର ସେହି ମ୍ୟାଚରେ ଆକ୍ରମଣାତ୍ମକ ଇନିଂସ୍ ଖେଳିଥିଲେ । ହେଲେ ସେ ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ୍ ହୋଇଯାଇଥିଲେ । ପ୍ରଥମ ଦିନିକିଆରେ ଭାରତ ପାଇଁ ସବୁଠୁ ବଡ଼ ସକାରାତ୍ମକ ସଙ୍କେତ ଥିଲା ସଞ୍ଜୁ ସାମସନଙ୍କ ପ୍ରଦର୍ଶନ, ଯିଏକି ଅନ୍ତର୍ଜାତୀୟ ଡେବ୍ୟୁର ୭ ବର୍ଷ ପର ମଧ୍ୟ ଦଳରେ ସ୍ଥାନ ସୁଦୃଢ କରିବାକୁ ସଂଘର୍ଷ କରୁଛନ୍ତି । ସାମସନ୍ ୬୩ ବଲରେ ଅପରାଜିତ ୮୬ ରନର ପାଳି ଖେଳିଥିଲେ ।

ଧାୱନ ପୂର୍ବରୁ ଦ୍ୱିତୀୟ ସ୍ତରୀୟ ଦଳର ନେତୃତ୍ୱ ନେଇ ନିଜ କ୍ୟାପଟେନ୍ସି ଦକ୍ଷତାର ପରିଚୟ ଦେଇଛନ୍ତି । ହେଲେ ଟପ୍ ଅର୍ଡରରେ ଦଳକୁ ଏକ ଭଲ ଷ୍ଟାର୍ଟ ଦେବା ଦାୟିତ୍ୱ ତାଙ୍କ ଉପରେ ରହିଛି । ପ୍ରତିଭାବାନ ଶୁଭମାନ ଗିଲ୍ ମଧ୍ୟ ପ୍ରଥମ ମ୍ୟାଚରେ ବିଫଳତାକୁ ଭରଣା କରି ଦିନିକିଆ ଦଳରେ ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ମଜବୁତ କରିବା ଲକ୍ଷ୍ୟରେ ରହିବେ ।

Comments are closed.