ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ଏସପିଙ୍କ ସମେତ ୭ ପୋଲିସ କର୍ମଚାରୀ ନିଲମ୍ବିତ

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ପଞ୍ଜାବ ସରକାର ଜଣେ ଏସପି, ଦୁଇ ଜଣ ଡିଏସପିଙ୍କ ସହ ୭ ଜଣଙ୍କୁ ନିଲମ୍ବିତ କରିଛନ୍ତି। ୨୦୨୨ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ଏକ ରାଲିରେ ଯୋଗଦେବାକୁ ଫିରୋଜପୁର ଯାଉଥିବାବେଳେ ଚାଷୀମାନେ ଟ୍ରାକ୍ଟର ସହ ରାସ୍ତା ଅବରୋଧ କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କନଭୟ ଏକ ଫ୍ଲାଏ ଓଭରରେ ବେଶ୍ କିଛି ସମୟ ଅଟକି ରହିଥିଲା । ଏହା ପରେ ସେ ଫିରୋଜପୁର ରାଲି ସହ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଫେରିଯାଇଥିଲେ।

ସେତେବେଳେ କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ । ଉକ୍ତ ଘଟଣା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ବିଫଳତା ବୋଲି କୁହାଯାଇଥିଲା । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ସୁରକ୍ଷାରେ ଏପରି ଅବହେଳା ଏକ ବଡ଼ ରାଜନୈତିକ ବିବାଦରେ ପରିଣତ ହୋଇଥିଲା ।

ଏହି ଘଟଣାର ବର୍ଷକ ପରେ ଫିରୋଜପୁରର ତତ୍କାଳୀନ ଏସପି ଗୁରୁବିନ୍ଦର ସିଂ ସାଙ୍ଗା, ଡିଏସପି ପାରସନ ସିଂ, ଡିଏସପି ଜଗଦୀଶ କୁମାର, ଇନ୍ସପେକ୍ଟର ତେଜିନ୍ଦର ସିଂ, ବଲୱିନ୍ଦର ସିଂ, ଜସୱନ୍ତ ସିଂ ଏବଂ ଏଏସଆଇ ରାକେଶ କୁମାରଙ୍କୁ ନିଲମ୍ବିତ କରାଯାଇଛି।

ନିଲମ୍ବନ ଆଦେଶନାମା ଅନୁଯାୟୀ, ଅକ୍ଟୋବର ୧୮, ୨୦୨୩ରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଏହି ମାମଲାରେ ଏକ ରିପୋର୍ଟ ଦାଖଲ କରିଥିଲା। ଏଥିରେ ଫିରୋଜପୁରର ତତ୍କାଳୀନ ଏସପି ଗୁରୁବିନ୍ଦର ସିଂ ସାଙ୍ଗାଙ୍କୁ ଦାୟୀ କରାଯାଇଥିଲା । ସିଂ ତାଙ୍କ କର୍ତ୍ତବ୍ୟ ସଠିକ୍ ଭାବେ ପାଳନ କରିନଥିଲେ ବୋଲି ରିପୋର୍ଟରେ କୁହାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ତ୍ରୁଟି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ପୂର୍ବରୁ ଅନେକ ରାଜ୍ୟ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା।

Comments are closed.