ଇ-ଗଭର୍ଣ୍ଣାନ୍ସ ସଂପର୍କିତ ସ୍ୱତନ୍ତ୍ର ପ୍ରଶିକ୍ଷଣ ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ

ଭୁବନେଶ୍ୱର: ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ) ତରଫରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ସ୍ମାର୍ଟ ଗଭର୍ଣ୍ଣମେଣ୍ଟ( ଏନ୍.ଆଇ.ଏସ୍.ଜି) ସହଯୋଗରେ ଓଡିଶା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ୪୦ ଜଣ ଅଧିକାରୀଙ୍କୁ ଇ-ଗଭର୍ଣ୍ଣାନ୍ସ ସଂପର୍କିତ ୫ ଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ସ୍ପେସିଆଲାଇଜ୍ଡ ପ୍ରୋଗ୍ରାମ ଇନ୍ ଇ-ଗଭର୍ଣ୍ଣାନ୍ସ) ସ୍ଥାନୀୟ ସ୍ୱସ୍ଥି ପ୍ରିମିୟମ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ଜୁଲାଇ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍ଙଘାଟନୀ ଦିବସରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ସଚିବ ତଥା ଓକାକର ଅଧ୍ୟକ୍ଷ ତଥା ମନୋଜ କୁମାର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରି କହିଲେ ଯେ, ଅଧୁନା ବୈଷୟିକ ଜ୍ଞାନ କୌଶଳର ଉପଯୋଗିତା ବହୁଳ ବୃଦ୍ଧି ପାଇଛି । ସୁଶାସନ ପ୍ରକ୍ରିୟାରେ ଜନସାଧାରଣଙ୍କୁ ତ୍ୱରିତ ଓ ସଠିକ୍ ଭାବେ ସେବା ପ୍ରଦାନ ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାରେ ଆବଶ୍ୟକତା ରହିଛି, ଫଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ତାହା ସେମାନଙ୍କୁ ବିଭାଗୀୟ ବିଭିନ୍ନ କାର୍ଯ୍ୟ ସୁସଂପାଦନ କରିବାରେ ସହାୟକ ହେବ ବୋଲି ମିଶ୍ର ପ୍ରକାଶ କରି ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ ।

ବିଭିନ୍ନ ଦିବସରେ ବିଶେଷଜ୍ଞ ପ୍ରକାଶ ରାଓ ସୁଞ୍ଚୁ, ବି.ଜି.ଗୁପ୍ତା, ସନ୍ଦିପ ମୁଦାଲକର, ଭେଙ୍କଟେସ୍ୱରଲୁ ମାଦାଲା, ଅଭିରାମ କ୍ରିଷ୍ଣା ପ୍ରମୁଖ ଯୋଗଦେଇ ଇ-ଗଭର୍ଣ୍ଣାନ୍ସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଡିଜିଟାଲ ଇଣ୍ଡିଆ ଫ୍ରେମ ଓ୍ୱାର୍କ, ଇ-କ୍ରାନ୍ତି, ସରକାରୀ ସେବା ପ୍ରଦାନ ବ୍ୟବସ୍ଥାର ବିଭିନ୍ନ ମଡେଲ, ଗଭର୍ଣ୍ଣମେଣ୍ଟ ପ୍ରୋସେସ୍ ରିଇଂଜିନିୟରିଂ, ବିଭିନ୍ନ ପ୍ରକାର ସରକାରୀ ସେବା ପ୍ରଦାନରେ ଗୁଣାତ୍ମକମାନ ବୃଦ୍ଧି, ପ୍ରକଳ୍ପ ଉପସ୍ଥାପନର ବିଷଦ୍ ବିବରଣୀ(ଡିପିଆର ପ୍ରସ୍ତୁତି), ସୂଚନା ପ୍ରଦାନ ବ୍ୟବସ୍ଥା ସିକ୍ୟୁରିଟି ପଲିସି, ସାଇବର ସିକ୍ୟୁରିଟି ବ୍ୟବସ୍ଥା, ବିଭିନ୍ନ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ, ଡାଟା ଆନାଲିସିସ୍, ତଥ୍ୟ ସଂରକ୍ଷଣ ପାଇଁ କ୍ଲାଉଡ୍ ବ୍ୟବସ୍ଥା, ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦେବା ସହ ବିଭିନ୍ନ ପ୍ରସଙ୍ଗରେ ଅଧିକାରୀମାନଙ୍କର ଦକ୍ଷତା ବୃଦ୍ଧି ଆଦି ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ପାରସ୍ପରିକ ଆଲୋଚନା ଭିତ୍ତିକ ଓ ସମୟୋପଯୋଗୀ ହୋଇଥିବାରୁ ଏହା ସନ୍ତୋଷଜନକ ଓ ଲାଭପ୍ରଦ ହେବ ବୋଲି ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ତରଫରୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଏହି ଭଳି ବିଷୟଭିତ୍ତିକ ତାଲିମ ପ୍ରଦାନ ଜାରି ରହିବ ବୋଲି ଆଜି ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଓକାକର ସାଧାରଣ ପରିଚାଳକ( ପ୍ରଶାସନ) ମଧୁମିତା ରଥ ପ୍ରକାଶ କରିଥିଲେ । ରାଜ୍ୟ ସରକାର ୫-ଟି ଆଧାରରେ ବିଭିନ୍ନ ସେବା ପ୍ରଦାନକୁ ଗୁରୁତ୍ୱ ଦେଉଥିବା ବେଳେ ଟିମ୍ ଓ୍ୱାର୍କ ବା ଦଳଗତ ପ୍ରଚେଷ୍ଟାରେ ବିଭାଗୀୟ କାର୍ଯ୍ୟ ସକରାତ୍ମକ ମନୋଭାବ ନେଇ ସୁସଂପାଦନ କରିବା ଉପରେ ରଥ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉଦ୍ଯାପନୀ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଓକାକର ଯୁଗ୍ମ ପରିଚାଳକ ସରୋଜ କୁମାର ତ୍ରିପାଠୀ, ଏନ.ଆଇ.ଏସ୍.ଜି.ର ଡେପୁଟୀ ଜେନେରାଲ ମ୍ୟାନେଜର ଶ୍ରୀ ରାଜେଶ ଚୌଧୁରୀ ଉପସ୍ଥିତ ଥିବା ବେଳେ ପି. ସାଇ ସମୀର ସମସ୍ତ ଦିବସରେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Comments are closed.