ଅବତରଣ ପୂର୍ବରୁ ଝଡ଼ରେ ଫସିଲା ସ୍ପାଇସଜେଟର ବିମାନ, ୧୨ ଯାତ୍ରୀ ଆହତ

କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଅବତରଣ ସମୟରେ ଏକ ସ୍ପାଇସଜେଟ୍ ଯାତ୍ରୀବାହୀ ବିମାନ ପ୍ରବଳ ଝଡ଼ ତୋଫାନ ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । କାଳବୈଶାଖୀ ଯୋଗୁଁ ବିମାନଟି ଫସି ଯାଇଥିଲା । ଏହି ଘଟଣାରେ ୧୨ ଯାତ୍ରୀ ଆହତ ହୋଇଥିବା ଖବର ରହିଛି। ରବିବାର ପଶ୍ଚିମବଙ୍ଗର ଦୁର୍ଗାପୁରର କାଜି ନାଜରୁଲ ଇସଲାମ ବିମାନ ବନ୍ଦରରେ ସ୍ପାଇସଜେଟର ବୋଇଂ ବି୭୩୭ ଏସଜି-୯୪୫ ବିମାନ ଅବତରଣ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ବିମାନ ଅବତରଣ ସମୟରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନଟି ଝଡ଼ରେ କିପରି ଫସିଗଲା ସେନେଇ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି । ଅବତରଣ କରିବା ପୂର୍ବରୁ ହଠାତ୍ ଝଡ଼ ତୋଫାନ ଯୋଗୁଁ ବିମାନଟି ବାୟୁରେ ହିଁ ନିୟନ୍ତ୍ରଣ ହରାଇଥିଲା | ଏହି ବିମାନ ମୁମ୍ବାଇରୁ ଦୁର୍ଗାପୁର ଯାଉଥିଲା।

ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ସ୍ପାଇସଜେଟ୍ ଦୁଃଖ ପ୍ରକାଶ କରିଛି । କମ୍ପାନୀ କହିଛି ଯେ ଏହି ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯାଉଛି। ବିମାନଟି ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ ମାତ୍ରେ ହଠାତ୍ ଝଡ଼ରେ ଫସି ଯାଇଥିଲା ଏବଂ କିଛି ସମୟ ପାଇଁ ବିମାନଟି ଆକାଶରେ ବିପଜ୍ଜନକ ଭାବେ ଘୂରିବାକୁ ଲାଗିଥିଲା | ଏହି ସମୟରେ ବିମାନର କ୍ୟାବିନରୁ କିଛି ଲଗେଜ୍ ଖସି ପଡ଼ିବାରୁ କିଛି ଯାତ୍ରୀମାନେ ଆହତ ହୋଇଥିଲେ। ବିମାନର ନିରାପଦ ଅବତରଣ ପରେ ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ରାନିଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Comments are closed.