ମହାନ ସ୍ପିନର ସେନ୍ ୱାର୍ଣ୍ଣଙ୍କ ପରଲୋକ, କ୍ରିକେଟ୍ ଜଗତ ସ୍ତବ୍ଧ

ମହାନ ସ୍ପିନର ସେନ୍ ୱାର୍ଣ୍ଣ ଆଉ ନାହାଁନ୍ତି । ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଶୁକ୍ରବାର ହୃଦଘାତରେ ପରଲୋକ ହୋଇଯାଇଛି । ୱାର୍ଣ୍ଣଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ୱାର୍ଣ୍ଣଙ୍କ ଅଚାନକ ଦେହାନ୍ତ ଖବରରେ କ୍ରିକେଟ୍ ଜଗତ ସ୍ତବ୍ଧ ହୋଇଯାଇଛି । ଶୁକ୍ରବାର ଅଷ୍ଟ୍ରେଲିଆର ଅନ୍ୟ ଜଣେ କିମ୍ବଦନ୍ତୀ ତଥା ପୂର୍ବତନ ୱିକେଟକିପର ରଡନୀ ମାର୍ଶଙ୍କ ନିଧନରେ କ୍ରିକେଟ୍ ଜଗତ ଶୋକରେ ବୁଡ଼ି ରହିଥିବା ବେଳେ ୱାର୍ଣ୍ଣଙ୍କ ମୃତ୍ୟୁ ଖବରକୁ ପ୍ରଶଂସକ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଥାଇଲାଣ୍ଡରେ ୱାର୍ଣ୍ଣଙ୍କ ମୃତ୍ୟୁ ହୋଇଛି । ଥାଇଲାଣ୍ଡର କୋ’ ଶାମୁଇ ସ୍ଥିତ ଏକ ଭିଲ୍ଲାରେ ୱାର୍ଣ୍ଣ ଅଚେତ ଅବସ୍ଥାରେ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କ୍ରିକେଟ୍ ଜଗତ ବିଶେଷକରି ଅଷ୍ଟ୍ରେଲିଆ ପାଇଁ ଆଜି ଏକ ଅଶୁଭ ଦିନ । ଆଜି ସକାଳେ ଅଷ୍ଟ୍ରେଲିଆର ଅନ୍ୟତମ କିମ୍ବଦନ୍ତୀ ତଥା ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରଡନୀ ମାର୍ଶଙ୍କ ମଧ୍ୟ ଦେହାନ୍ତ ହୋଇଥିଲା । ମାର୍ଶଙ୍କ ମୃତ୍ୟୁରେ ୱାର୍ଣ୍ଣ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ । ହେଲେ କେହି ବି ଭାବିନଥିଲେ ଯେ, ୱାର୍ଣ୍ଣଙ୍କ ଏହା ଶେଷ ଟ୍ୱିଟ୍ ହେବ ।

ସ୍ପିନ ବୋଲିଂକୁ ଏକ ନୂଆ ପରିଚୟ ଦେଇଥିବା ୱାର୍ଣ୍ଣ କ୍ରିକେଟ ଜଗତର ଜଣେ ଆଇକନ୍ ଥିଲେ । ସ୍ପିନ୍ ବୋଲିଂ କଳାକୁ ଉଜ୍ଜୀବିତ କରିବା ଶ୍ରେୟ ୱାର୍ଣ୍ଣକୁ ଯାଏ । ନବେ ଦଶକରେ ଭାରତ ବିପକ୍ଷରେ ପ୍ରଭାବହୀନ ଡେବ୍ୟୁ ପରେ ଇଂଲଣ୍ଡ ବିପକ୍ଷ ୧୯୯୩ ଆସେସରେ ବିଶ୍ୱ ଦେଖିଥିଲା ୱାର୍ଣ୍ଣଙ୍କ ଯାଦୁ । ତା’ ପରଠାରୁ ସେ ଆଉ ପଛକୁ ଫେରିନଥିଲେ । ଉକ୍ତ ଆସେସ୍ ସିରିଜରେ ୱାର୍ଣ୍ଣ ତାଙ୍କ ପ୍ରଥମ ବଲରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାଇକ୍ ଗ୍ୟାଟିଂକୁ ଯେଉଁଭଳି କ୍ଲିନ୍ ବୋଲ୍ଡ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବଲଟି ଲେଗ୍ ଷ୍ଟମ୍ପ ବାହାରେ ପଡ଼ିବା ପରେ ପୁଣି ଟର୍ଣ୍ଣ ନେଇ ଗ୍ୟାଟିଂଙ୍କ ଅଫ୍ ଷ୍ଟମ୍ପ ଉପାଡ଼ିଥିଲା । ବଲଟି ପୂରା ୧୮୦ ଡିଗ୍ରୀ ଟର୍ଣ୍ଣ ନେଇଥିଲା । ଗ୍ୟାଟିଂ ମଧ୍ୟ ଏଭଳି ଟର୍ଣ୍ଣ ଦେଖି ଚକିତ ହୋଇଯାଇଥିଲେ । ୱାର୍ଣ୍ଣଙ୍କ ସେହି ନିର୍ଦ୍ଦିଷ୍ଟ ବଲରୁ ହିଁ ତାଙ୍କ ପ୍ରଚଣ୍ଡ ପ୍ରତିଭାର ଆଭାସ ମିଳିଥିଲା । ୱାର୍ଣ୍ଣଙ୍କ ସେହି ବଲ୍ ‘ଶତାବ୍ଦୀର ଶ୍ରେଷ୍ଠ ବଲ’୍ ଭାବେ ବିବେଚିତ ହୋଇଥିଲା । ସେହି ସିରିଜ୍ ପରେ ୱାର୍ଣ୍ଣ ସ୍ପିନ୍ ବୋଲିଂର ସମ୍ରାଟ ଭାବେ ପରବର୍ତ୍ତୀ ୧୫ ବର୍ଷ ପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।

ୱାର୍ଣ୍ଣ ୨୩ ବର୍ଷ ବୟରେ ଭାରତ ବିପକ୍ଷ ସିଡନୀ ଟେଷ୍ଟରେ ନିଜ ଟେଷ୍ଟ ଡେବ୍ୟୁ କରିଥିଲେ । ସେ ତାଙ୍କ ଶେଷ ଟେଷ୍ଟ ୨୦୦୭ରେ ସିଡନୀରେ ହିଁ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ବିଶ୍ୱର ଅନ୍ୟତମ ସର୍ବକାଳୀନ ମହାନ ଖେଳାଳି ୱାର୍ଣ୍ଣ ଟେଷ୍ଟ କ୍ରିକେଟର ଦ୍ୱିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର । ୱାର୍ଣ୍ଣ ୧୯୯୨ରୁ ୨୦୦୭ ମଧ୍ୟରେ ନିଜ ଜାଜୁଲ୍ୟମାନ କ୍ରିକେଟ୍ କ୍ୟାରିୟରରେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ଟି ଟେଷ୍ଟ ଖେଳି ୭୦୮ଟି ଟେଷ୍ଟ ୱିକେଟ୍ ନେଇଥିଲେ । ଏହି ସ୍ପିନ୍ ଯାଦୁକର ୧୯୪ଟି ଅନ୍ତର୍ଜାତୀୟ ଦିନିକିଆରେ ୨୯୩ ୱିକେଟ୍ ହାସଲ କରିଥିଲେ । ସେ ୧୯୯୯ ବିଶ୍ୱକପ୍ ବିଜୟୀ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ । ସେନ୍ ୱାର୍ଣ୍ଣ ମଧ୍ୟ ଆଇପିଏଲର ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇ ଦଳକୁ ଚାମ୍ପିୟନ କରାଇଥିଲେ । ଆଇପିଏଲରେ ସେ ମୋଟ ୫୫ ମ୍ୟାଚ ଖେଳିଥିବା ବେଳେ ୫୭ ୱିକେଟ୍ ନେଇଛନ୍ତି ।

କ୍ରିକେଟ୍ ପଡିଆରେ ନିଜ ଯାଦୁକରୀ ସ୍ପିନରେ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରି ଅନେକ କୀର୍ତ୍ତିମାନ ହାସଲ କରିଥିବା ୱାର୍ଣ୍ଣଙ୍କ ଜୀବନ ପଡ଼ିଆ ବାହାରେ ଥିଲା ବିବାଦୀୟ । ୨୦୦୩ ବିଶ୍ୱକପ୍ ବେଳେ ଡ୍ରଗ୍ସ ସେବନ କାରଣରୁ ତାଙ୍କୁ ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ୱଦେଶ ଫେରାଇ ଦିଆଯାଇଥିଲା । ୧୯୯୪ରେ ସେ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ଅଜାଣତରେ ସେ ଏକ ବୁକି/ଫିକ୍ସରଙ୍କୁ ପିଚ୍ ସମ୍ପର୍କିତ ସୂଚନା ଦେଇଥ୍ôଲେ ।
କ୍ରିକେଟରୁ ଅବସର ନେବା ପରେ ୱାର୍ଣ୍ଣ ଅଧିକାଂଶ ସମୟ ଲଣ୍ଡନରେ ବିତାଇଥିଲେ । ଏହି ସମୟ ମଧ୍ୟରେ ଲଣ୍ଡନର ଜଣେ ନର୍ସଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ବିବାଦୀୟ ହୋଇଥିଲେ । ୨୦୧୭ରେ ଏକ ଡିସ୍କୋରେ ଜଣେ ମହିଳାଙ୍କୁ ସେ ମାରପିଟ୍ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା ।

Comments are closed.