ଘରୋଇ କ୍ରିକେଟରୁ ଶ୍ରୀସନ୍ଥଙ୍କ ଅବସର

ନୂଆଦିଲ୍ଲୀ: ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ ଭାରତୀୟ ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ୩୯ ବର୍ଷୀୟ ବୋଲର ବୁଧବାର ଟୁଇଟରରେ ଏହି ସୂଚନା ଦେଇଛନ୍ତି । ଆଇପିଏଲ୍ ସ୍ପଟ୍ ଫିକ୍ସିଂରେ ସମ୍ପୃକ୍ତି ପାଇଁ ବିସିସିଆଇ ୨୦୧୩ରେ ଶ୍ରୀସନ୍ଥଙ୍କୁ ଆଜୀବନ ବାସନ୍ଦ କରିଥିଲା । ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀସନ୍ଥଙ୍କ ଉପରୁ ବାସନ୍ଦ ଅବଧି ହ୍ରାସ କରିଥିଲା ଭାରତୀୟ ବୋର୍ଡ । ଏହାପରେ ସେ କ୍ରିକେଟକୁ ଫେରିଥିଲେ ମଧ୍ୟ ଭାରତୀୟ ଦଳ ପାଇଁ ପୁଣିଥରେ ତାଙ୍କ ଖେଳିବା ଇଚ୍ଛା ସାକାର ହୋଇନଥିଲା । ସେ ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

ଶ୍ରୀସନ୍ଥ ଟ୍ୱିଟ୍ କରି ସେ ଯେଉଁସବୁ ଟିମ୍‌, କୋଚ୍ ଓ ସାଥୀ ଖେଳାଳିଙ୍କ ସହ ଖେଳିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋ ପରିବାର, ସାଥୀ ଖେଳାଳି ଓ ଭାରତୀୟ ଲୋକଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିବା ସମ୍ମାନର ବିଷୟ । ଦୁଃଖର ସହ କିନ୍ତୁ ବିନା କୌଣସି ଅବଶୋଷ ସହ ଏହା କହିବାକୁ ଚାହୁଁଛି ଯେ, ମୁଁ ଘରୋଇ କ୍ରିକେଟ୍ ଓ ସବୁ ଫର୍ମାଟରୁ ଅବସର ଘୋଷଣା କରୁଛି । ପରବର୍ତ୍ତୀ ପିଢି ପାଇଁ ମୁଁ ନିଜ ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟର ଶେଷ କରିବାକୁ ନିଷ୍ପତ୍ତି ନେଇଛି । ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି । ଯଦିଓ ମୋ ପାଇଁ ଏହା କୌଣସି ଖୁସିର ବିଷୟ ନୁହେଁ, ଜୀବନର ଏହି ସମୟରେ ଏହା ଏକ ସଠିକ୍ ନିଷ୍ପତ୍ତି ବୋଲି ମୁଁ ଭାବୁଛି । କ୍ରକେଟ୍ ଜୀବନର ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀସନ୍ଥ ଟ୍ୱିଟ୍ କରି କହିଛନ୍ତି ।

ଶ୍ରୀସନ୍ଥ ଭାରତ ପାଇଁ ୨୭ଟି ଟେଷ୍ଟ ଖେଳିଥିବା ବେଳେ ଏହି ଫର୍ମାଟରେ ୮୭ଟି ୱିକେଟ୍ ନେଇଛନ୍ତି । ଏହାଛଡା ସେ ୫୩ଟି ଦିନିକିଆରେ ୭୫ ୱିକେଟ୍ ହାସଲ କରିଥିବା ବେଳେ ୧୦ଟି ଅନ୍ତର୍ଜାତୀୟ ଟି୨୦ରେ ୭ଟି ୱିକେଟ୍ ନେଇଛନ୍ତି । କେରଳର ଏହି ଦ୍ରୁତ ବୋଲର ଗତମାସରେ ନିଜ ରାଜ୍ୟ କେରଳ ପାଇଁ ମେଘାଳୟ ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ । ଏହା ତାଙ୍କ ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍ ଥିଲା । ଏହି ମ୍ୟାଚରେ ସେ ଦୁଇଟି ୱିକେଟ୍ ନେଇଥିଲେ ।

ଶ୍ରୀସନ୍ଥ ୨୦୦୭ ଟି୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ । ୨୦୧୩ ଆଇପିଏଲ୍ ସଂସ୍କରଣରେ ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ଥଙ୍କ ସହ ତାଙ୍କର ଦୁଇ ରାଜସ୍ଥାନ ରୟାଲ୍ସ ସାଥୀ ଖେଳାଳି ଅଜିତ ଚାଣ୍ଡିଲା ଓ ଅଙ୍କିତ ଚଭନଙ୍କୁ ବିସିସିଆଇ ଆଜୀବନ ବାସନ୍ଦ କରିଥିଲା । ଆଜୀବନ ବାସନ୍ଦ ବିରୋଧରେ ଶ୍ରୀସନ୍ଥ ହାଇକୋର୍ଟରେ ଆବେଦନ କରିଥିଲେ । ଏହାପରେ ବିସିସିଆଇ ୨୦୧୯ରେ ତାଙ୍କ ବାସନ୍ଦ ଅବଧି ୭ ବର୍ଷକୁ ହ୍ରାସ କରିଥିଲା । ତାଙ୍କର ଏହି ବାସନ୍ଦ ଅବଧି ୨୦୨୦ ସେପ୍ଟେମ୍ବରରେ ଶେଷ ହେବା ପରେ ସେ ୨୦୨୧ ରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କେରଳ ତରଫରୁ ପ୍ରତିନିଧିତ୍ୱ କରି କ୍ରିକେଟକୁ ଫେରିଥିଲେ । ସେ ୨୦୨୧ ଓ ୨୦୨୨ ଆଇପିଏଲ୍ ପାଇଁ ନିଲାମରେ ମଧ୍ୟ ନିଜ ନାମ ପଞ୍ଜିକରଣ କରିଥିଲେ । ହେଲେ ଉଭୟ ଥର ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିନଥିଲେ ।

Comments are closed.