ଇଂଲଣ୍ଡର ଚତୁର୍ଥ ପରାଜୟ, ଏକତରଫା ବିଜୟ ସହ ପଞ୍ଚମକୁ ଉଠିଲା ଶ୍ରୀଲଙ୍କା

ବେଙ୍ଗାଲୁରୁ: ପାଥୁମ ନିସଙ୍କା ଏବଂ ସାଦିରା ସମରବିକ୍ରମାଙ୍କ ମଧ୍ୟରେ ଅବିଭକ୍ତ ଶତକୀୟ ଭାଗିଦାରୀ ସହାୟତାରେ ଶ୍ରୀଲଙ୍କା ଗୁରୁବାର ବିଶ୍ବକପର ଏକ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ସହଜରେ ହରାଇ ଦେଇଛି । ଶ୍ରୀଲଙ୍କା ୮ ଓ୍ବିକେଟରେ ଏହି ମ୍ୟାଚ୍ ଜିତିଛି ।

ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଏହା ଶ୍ରୀଲଙ୍କାର ଲଗାତାର ପଞ୍ଚମ ବିଜୟ । ୨୦୦୩ ପରଠୁ ବିଶ୍ଵକପରେ ଇଂଲଣ୍ଡ ଠାରୁ କୌଣସି ମ୍ୟାଚ୍ ହାରି ନାହିଁ ଶ୍ରୀଲଙ୍କା । ଚଳିତ ବିଶ୍ୱକପ୍‌ରେ ପାଞ୍ଚଟି ମ୍ୟାଚ୍‌ରୁ ଇଂଲଣ୍ଡର ଏହା ଚତୁର୍ଥ ପରାଜୟ ହୋଇଥିବା ବେଳେ ଦଳର ସେମିଫାଇନାଲ ପଥ କଠିଣ ହୋଇଯାଇଛି । ଜୋସ୍ ବଟଲରଙ୍କ ଦଳ ପଏଣ୍ଟ୍ ଟେବୁଲର ନବମ ସ୍ଥାନକୁ ଖସି ଆସିଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ପାଞ୍ଚଟି ମ୍ୟାଚରୁ ଦ୍ୱିତୀୟ ବିଜୟ ହାସଲ କରି ପଞ୍ଚମ ସ୍ଥାନକୁ ଉନ୍ନୀତ ହେବା ସହ ନିଜ ଆଶା ବଞ୍ଚାଇ ରଖିଛି।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୩୩.୨ ଓଭରରେ ମାତ୍ର ୧୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଜବାବରେ ଶ୍ରୀଲଙ୍କା କେବଳ ୨୫.୪ ଓଭରରେ ଦୁଇଟି ୱିକେଟ୍ ହରାଇ ୧୬୦ ରନ୍ କରି ମ୍ୟାଚ୍ ଜିତିନେଇଥିଲା । ନିସଙ୍କା ୮୩ ବଲରେ ୭ଟି ଚୌକା ଓ ଦୁଇଟି ଛକା ସହାୟତାରେ ଅପରାଜିତ ୭୭ ରନ୍ ସଂଗ୍ରହ କରିଥିଲେ। ସମରବିକ୍ରମା ୫୪ଟି ବଲରେ ୬୫ ରନର ଅପରାଜିତ ଇନିଂସ ଖେଳିଥିଲେ ଯେଉଁଥିରେ ୭ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଉଭୟ ତୃତୀୟ ୱିକେଟ୍ ପାଇଁ ୧୩୭ ରନର ଅବିଭକ୍ତ ଭାଗିଦାରୀ କରି ଦଳ ପାଇଁ ଦ୍ବିତୀୟ ବିଜୟ ସୁନିଶ୍ଚିତ କରିଥିଲେ |

ବିଜୟ ଧାରାକୁ ଫେରିବାକୁ ଇଂଲଣ୍ଡକୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ଆବଶ୍ୟକ ଥିଲା। କିନ୍ତୁ ବ୍ୟାଟ୍ସମ୍ୟାନମାନେ ପୁଣି ଦାୟିତ୍ବହୀନ ପ୍ରଦର୍ଶନ କରିଥିବା ବେଳେ ଦଳ ୩୩.୨ ଓଭରରେ ଆଉଟ୍ ହୋଇଥିଲା। ଚଳିତ ବିଶ୍ୱକପରେ ଲଗାତାର ଦ୍ବିତୀୟ ଥର ଇଂଲଣ୍ଡ ୨୦୦ ରନ୍ ଟପି ପାରିନଥିଲା । ବେନ୍ ଷ୍ଟୋକ୍ସ (୭୩ ବଲରେ ୪୩ ରନ୍)ଙ୍କୁ ଛାଡ଼ି ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଶ୍ରୀଲଙ୍କା ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ।

ଲାହିରୁ କୁମାରା ଶ୍ରୀଲଙ୍କାର ସବୁଠାରୁ ସଫଳ ବୋଲର ଭାବେ ୩୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିବାବେଳେ ଆଞ୍ଜେଲୋ ମାଥ୍ୟୁସ୍ ଏବଂ କାସୁନ୍ ରଜିତା ଦୁଇଟି ଲେଖାଏଁ ୱିକେଟ୍ ହାତେଇଥିଲେ ।

ଏକ ଛୋଟ ଟାର୍ଗେଟର‌ ପିଛା କରିବାକୁ ଯାଇ ଶ୍ରୀଲଙ୍କାର ଆରମ୍ଭ ମଧ୍ୟ ଭଲ ହୋଇନଥିଲା। ଫାଷ୍ଟ ବୋଲର ଡେଭିଡ ୱିଲି (୩୦/୨) ପ୍ରଥମ ଓଭରରେ ଓପନର୍ କୁସାଲ ପେରେରା (୪) ଏବଂ ଅଧିନାୟକ କୁସାଲ ମେଣ୍ଡିସ (୧୧)ଙ୍କୁ ଆଉଟ୍ କରି ଦେଇଥିଲେ । ଶ୍ରୀଲଙ୍କା ୨୩ ରନରେ ଦୁଇ ୱିକେଟ୍ ହରାଇ ସାମାନ୍ୟ ଅସୁବିଧାରେ ପଡ଼ିଥିଲା । ମେଣ୍ଡିସଙ୍କୁ ଏକ ଜୀବନଦାନ ମଧ୍ୟ ମିଳିଥିଲା ‌। ହେଲେ ସେ ଏହାର ଫାଇଦା ଉଠାଇ ପାରିନଥିଲେ । ଶୀଘ୍ର ଦୁଇଟି ୱିକେଟ୍ ହରାଇବା ପରେ ଶ୍ରୀଲଙ୍କାର ପାଳି ସମ୍ଭାଳିଥିଲେ ନିସଙ୍କା ଓ ସମରବିକ୍ରମା । ଏ ଦୁହେଁ ଇଂଲଣ୍ଡକୁ ଆଉ କୌଣସି ସୁଯୋଗ ନ ଦେଇ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ ।

Comments are closed.