ପ୍ରଭାକରନ ଜୀବିତ ଥିବା ଦାବିକୁ ‘ଜୋକ୍’ ବୋଲି କହି ଖାରଜ କଲା ଶ୍ରୀଲଙ୍କା

କଲମ୍ବୋ: ଶ୍ରୀଲଙ୍କା ସରକାରଙ୍କ ଦ୍ୱାରା ଏଲଟିଟିଇ ମୁଖ୍ୟ ଭେଲୁପିଲାଇ ପ୍ରଭାକରନ ମୃତ ଘୋଷଣାର ୧୪ ବର୍ଷ ପରେ ସେ ଜୀବିତ ଓ ଠିକ୍ ଅଛନ୍ତି ବୋଲି ତାମିଲ ନେତା ପାଜା ନେଡୁମାରନ୍ ଦାବି କରିଛନ୍ତି । ପ୍ରଭାକରନ୍ ଖୁବ୍ ଶୀଘ୍ର ସାମ୍ନାକୁ ଆସିବେ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରଣାଳୟ ନେଡୁମାରନଙ୍କ ଦାବିକୁ ‘ଜୋକ୍’ ବୋଲି କହି ଖଣ୍ଡନ କରିଛି । ଏହାଛଡ଼ା ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୦୯ରେ ପ୍ରଭାକରନଙ୍କ ମୃତ୍ୟୁ ହୋଇଥିବା ଦାବି ସପକ୍ଷରେ ଡିଏନ୍ଏ ପ୍ରମାଣ ରହିଥିବା ଉଲ୍ଲେଖ କରିଛି। ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କର୍ଣ୍ଣେଲ ନାଲିନ୍ ହେରାଥ କହିଛନ୍ତି, ସେ (ପ୍ରଭାକରନ) ୧୯ ମେ ୨୦୦୯ରେ ନିହତ ହୋଇଥିଲେ । ଡିଏନ୍ଏ ପ୍ରମାଣ ଏହା ନିଶ୍ଚିତ କରିସାରିଛି ।

ପ୍ରଭାକରନଙ୍କ ଦ୍ବାରା ପର ପ୍ରତିଷ୍ଠିତ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଏଲାମ (ଏଲଟିଟିଇ) ଶ୍ରୀଲଙ୍କାର ଉତ୍ତର ଏବଂ ପୂର୍ବ ପ୍ରଦେଶରେ ତାମିଲମାନଙ୍କୁ ନେଇ ଏକ ସ୍ବାଧୀନ ରାଷ୍ଟ୍ର ପାଇଁ ଲଢ଼େଇ କରୁଥିଲା । ଏଥିପାଇଁ ଏଲଟିଟିଇ ଗରିଲା ଯୁଦ୍ଧକୁ ମାଧ୍ୟମ କରିଥିଲା । ତେବେ ଶ୍ରୀଲଙ୍କା ସେନା କାର୍ଯ୍ୟାନୁଷ୍ଠାନରେ ପ୍ରଭାକରନଙ୍କ ମୃତ୍ୟୁର ପ୍ରକୃତ ତାରିଖ ଜଣା ପଡିନାହିଁ। ଶ୍ରୀଲଙ୍କା ସରକାର ମେ ୧୯, ୨୦୦୯ରେ ତାଙ୍କୁ ମୃତ ଘୋଷଣା କରିଥିଲେ ‌।

Comments are closed.