ଇତିହାସ ରଚିଲେ ଶ୍ରୀକାନ୍ତ, ପ୍ରଥମ ଭାରତୀୟ ପୁରୁଷ ଭାବେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ରୌପ୍ୟ ଜିତିଲେ

ହୁଏଲଭା (ସ୍ପେନ୍‌): ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତଙ୍କ ଚମତ୍କାର ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି । ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସିଙ୍ଗାପୁରର ଲୋ କିଆନ୍ ଇୟୁଙ୍କ ଠାରୁ ପରାସ୍ତ ହୋଇ ଶ୍ରୀକାନ୍ତଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଫାଇନାଲରେ ଶ୍ରୀକାନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲେ ଏବଂ ସିଧାସଳଖ ୧୫-୨୧, ୨୦-୨୨ରେ ଇୟୁଙ୍କ ଠାରୁ ହାରି ଯାଇଥିଲେ । ତଥାପି ରୌପ୍ୟ ପଦକ ଜିତି ଶ୍ରୀକାନ୍ତ ଇତିହାସ ରଚିଛନ୍ତି । ଶ୍ରୀକାନ୍ତ ହେଉଛନ୍ତି ଭାରତର ପ୍ରଥମ ପୁରୁଷ ଖେଳାଳି ଯିଏ କି ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି ।

ଶ୍ରୀକାନ୍ତ ଶନିବାର ଅଲ୍ ଇଣ୍ଡିଆନ୍ ସେମିଫାଇନାଲରେ ଉଦୀୟମାନ ତାରକା ଲକ୍ଷ୍ୟ ସେନଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ବିଶ୍ୱ ଚାମ୍ପିୟନସିପର ଫାଇନାଲକୁ ଉନ୍ନୀତ ହୋଇଥିଲେ । ଲକ୍ଷ୍ୟଙ୍କୁ ବ୍ରୋଞ୍ଜ ପଦକ ସହ ଅଭିଯାନ ଶେଷ କରିବାକୁ ପଡ଼ିଥିଲା । ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଇତିହାସରେ ପ୍ରଥମ ଥର ଦୁଇ ଜଣ ଭାରତୀୟ ଗୋଟିଏ ସଂସ୍କରଣରେ ପଦକ ଜିତିଛନ୍ତି ।

ଶ୍ରୀକାନ୍ତ ପୂରା ଟୁର୍ଣ୍ଣାମେଣ୍ଟରେ ଯେଭଳି ପ୍ରଦର୍ଶନ କରିଥିଲେ, ତାଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା ରହିଥିଲା । ହେଲେ ଫାଇନାଲରେ ସେ ଇୟୁଙ୍କ ବିପକ୍ଷରେ ସଂଘର୍ଷ କରିଥିଲେ । ପ୍ରଥମ ଗେମରେ ଶ୍ରୀକାନ୍ତ ଭଲ ଆରମ୍ଭ କରିଥିଲେ ଏବଂ ଏକଦା ୯-୩ରେ ଅଗ୍ରଣୀ ରହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏକାଗ୍ରତା ହରାଇ ଇୟୁଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ସୁଯୋଗ ଦେଇଥିଲେ । ମାତ୍ର ୧୬ ମିନିଟରେ ଶ୍ରୀକାନ୍ତ ପ୍ରଥମ ଗେମ୍ ହାରି ୧୫-୨୧ରେ ହାରି ଯାଇଥିଲେ । ଦ୍ୱିତୀୟ ଗେମରେ ଶ୍ରୀକାନ୍ତ ଅପେକ୍ଷାକୃତ ଲଢୁଆ ପ୍ରଦର୍ଶନ କରିଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ଗେମ୍ ବେଶ୍ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ତେବେ ଇୟୁ ୨୨-୨୦ରେ ଦ୍ୱିତୀୟ ଗେମ୍ ଜିତି ଶ୍ରୀକାନ୍ତଙ୍କ ସ୍ୱର୍ଣ୍ଣ ଆଶା ଧୂଳିସାତ କରିଥିଲେ । ବିଶ୍ୱ ଚାମ୍ପିୟନ ହୋଇଥିବା ଇୟୁ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ରାଉଣ୍ଡରେ ବିଶ୍ୱର ନମ୍ବର ୱାନ ଖେଳାଳି ତଥା ଅଲିମ୍ପିକ୍ ଚାମ୍ପିୟନ ଭିକ୍ଟର ଆକ୍ସେଲସେନଙ୍କୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଥିଲେ ।

ଅନ୍ୟପକ୍ଷେ ମହିଳା ସିଙ୍ଗଲ୍ସରେ ଜାପାନର ଆକାନେ ୟାମାଗୁଚି ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ୟାମାଗୁଚି ଟପ୍ ସିଡ୍ ଚାଇନିଜ ତାଇପେଇର ତାଏ ଜୁ ୟିଙ୍ଗଙ୍କୁ ୨୧-୧୪, ୨୧-୧୧ରେ ପରାସ୍ତ କରି ଟାଇଟଲ୍ ହାତେଇଥିଲେ । ବିଶ୍ୱ ଚାମ୍ପିୟନସିପ୍ ସ୍ୱର୍ଣ୍ଣ ଜିତିବାରେ ୟାମାଗୁଚି ହେଉଛନ୍ତି ଜାପାନର ଦ୍ୱିତୀୟ ମହିଳା ଖେଳାଳି ।

Comments are closed.