ହିଜାବ ବିବାଦ: ତ୍ରିରଙ୍ଗାକୁ କାଢ଼ି ଗୈରିକ ପତାକା ଲଗାଇଲେ ଛାତ୍ର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ମଧ୍ୟରେ ସାମ୍ନାକୁ ଆସିଥିବା ଏକ ଭିଡିଓ ଚର୍ଚ୍ଚାର ବିଷୟ ହୋଇଛି । ଏହି ଭିଡ଼ିଓ ଶିମୋଗାସ୍ଥିତ ଏକ କଲେଜର ବୋଲି ଜଣାପଡ଼ିଛି । ଭିଡ଼ିଓରେ ଜଣେ ଛାତ୍ର ଉକ୍ତ କଲେଜ ପରିସରରେ ଥିବା ଏକ ଖମ୍ବ ଉପରକୁ ଚଢ଼ି ତହିଁରେ ଲାଗିଥିବା ତ୍ରିରଙ୍ଗାକୁ କାଢ଼ି ଗୈରିକ ପତାକା ଲଗାଉଛନ୍ତି । ଏହାପରେ ତଳେ ଥିବା କିଛି ଛାତ୍ର ଖୁସିରେ ତାଳି ମାରୁଥିବା ଦେଖିବାକୁ ମିଳୁଛି | ସେଠାରେ ଉପସ୍ଥିତ ଅଧିକାଂଶ ଛାତ୍ର ଗୈରିକ ପତାକା ଓ ଗାମୁଛା ଧରିଥିବା ସ୍ପଷ୍ଟ ଦେଖାଯାଉଛି । ତ୍ରିରଙ୍ଗାର ଏଭଳି ଅପମାନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳେ ଶିମୋଗାରେ ଢେଲାମାଡ଼ ଘଟଣା ପରେ ଧାରା ୧୪୪ ଲାଗୁ କରାଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କହିଛନ୍ତି, “କର୍ଣ୍ଣାଟକର କିଛି ଶିକ୍ଷାନୁଷ୍ଠାନରେ ସ୍ଥିତି ଏତେ ଖରାପ ହୋଇଛି ଯେ ଗୋଟିଏ ଜାଗାରେ ଜାତୀୟ ପତାକାକୁ ଏକ ଗେରୁଆ ପତାକା ସହ ବଦଳାଇ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ଅନୁଷ୍ଠାନଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଆଇନ ଏବଂ ଶୃଙ୍ଖଳା ଫେରାଇ ଆଣିବା ପାଇଁ ଏକ ସପ୍ତାହ ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସେ ଦାବି କରିଛନ୍ତି ।

ହିଜାବ ବିବାଦ କର୍ଣ୍ଣାଟକ ହାଇକୋର୍ଟରେ ମଧ୍ୟ ପହଞ୍ଚିଛି । ହାଇକୋର୍ଟ ଏହି ସମାମଲ ଶୁଣାଣି କରୁଛନ୍ତି । ମଙ୍ଗଳବାର କର୍ଣ୍ଣାଟକର ହାଇକୋର୍ଟରେ ଶୁଣାଣି ପୂର୍ବରୁ ଗେରୁଆ ଶଲ୍ ଏବଂ ହିଜାବ ପିନ୍ଧିଥିବା ଛାତ୍ରମାନେ ଏକ କଲେଜ ବାହାରେ ପରସ୍ପରକୁ ବିରୋଧ କରିଥିଲେ। ବାଗାଲକୋଟରେ କିଛି ଅଞ୍ଚଳରେ ପଥର ଫିଙ୍ଗା ଘଟଣା ପରେ ପୋଲିସକୁ ଲାଠି ମାଡ଼ କରିବାକୁ ପଡିଥିଲା।

କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଉଡୁପିରେ କିଛି ଛାତ୍ରୀଙ୍କୁ ହିଜାବ ପିନ୍ଧିଥିବାରୁ ଶ୍ରେଣୀରେ ପ୍ରବେଶ ଅନୁମତି ମିଳିନଥିଲା। କଲେଜ ତରଫରୁ କୁହାଯାଇଥିଲା ଯେ ଯଦି ଏଠାରେ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ୟୁନିଫର୍ମ ଲାଗୁ ହୋଇଛି, ତେବେ ଅଲଗା ପୋଷାକ ପିନ୍ଧି ଆସୁଥିବା ପିଲାଙ୍କୁ କଲେଜରେ ବସିବାକୁ ଦିଆଯିବ ନାହିଁ | ଏହା ବିରୋଧରେ ହିଜାବ ପିନ୍ଧି ଆସିଥିବା ଛାତ୍ରୀମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ହିଜାବ ପିନ୍ଧିବାକୁ ଅନୁମତି ନ ଦେବା ମୌଳିକ ଅଧିକାରର ଉଲ୍ଲଂଘନ ଏବଂ ଏହା ଧାରା ୧୪ ଏବଂ ୨୫ର ଉଲ୍ଲଂଘନ ଅଟେ।

Comments are closed.