‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ଜାରି, ଛାତ୍ର ସଂଗଠନ ପକ୍ଷରୁ ଆଜି ‘ବିହାର ବନ୍ଦ’

ପାଟଣା: ଭାରତୀୟ ସେନା ‘ଅଗ୍ନିପଥ’ ନିଯୁକ୍ତିର ନୂଆ ଯୋଜନା ବିରୋଧରେ ଆନ୍ଦୋଳନ ଥମିବାର ନାଁ ଧରୁନାହିଁ । ସେନାରେ ନିଯୁକ୍ତି ପାଇଁ ଏହି ନୂଆ ଯୋଜନା ବିରୋଧରେ ଲଗାତାର ଚତୁର୍ଥ ଦିନ ମଧ୍ୟ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଜାରି ରହିଛି । ଏହି ଯୋଜନା ବିରୋଧରେ ବିହାରରେ ଆଜି ବିଭିନ୍ନ ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମପନ୍ଥୀ ଦଳ ଗୁଡ଼ିକ ‘ବିହାର ବନ୍ଦ’କୁ ସମର୍ଥନ ଘୋଷଣା କରିଛନ୍ତି। ଆରଜେଡି କର୍ମୀମାନେ ଭାଗଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଏଥି ସହିତ ସିପିଆଇ (ଏମ୍ଏଲ୍) ଛାତ୍ର ସଂଗଠନ ‘ଆଇସା’ ଏବଂ ସେମାନଙ୍କର ଯୁବ ସଂଗଠନ ରିଭୋଲ୍ୟୁସନାରୀ ୟୁଥ୍ ଅର୍ଗନାଇଜେସନ ମଧ୍ୟ ବିହାର ବନ୍ଦ ଡାକରା ଦେଇଛି |

ବିହାର ଆଇସା ସଭାପତି ବିକାଶ ଯାଦବ କହିଛନ୍ତି ଯେ ଅଗ୍ନିପଥ ଯୋଜନା ବିରୋଧରେ ପାଟଣା ବିଶ୍ୱବିଦ୍ୟାଳୟରୁ ଏକ ରାଲି ବାହାର କରାଯିବ ଏବଂ ଏନ୍ଏସୟୁଆଇ ଏବଂ ଛାତ୍ର ଆରଜେଡି ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ।

ଛାତ୍ର ସଂଗଠନ ଗୁଡ଼ିକ ତରଫରୁ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶଷକରି ରେଳ ଷ୍ଟେସନ ଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

Comments are closed.