ଏଜୱେଲ ଅଧ୍ୟୟନ: କୋଭିଡ୍-୧୯ ପରେ ଦରଦାମ୍ ବୃଦ୍ଧି ଭାରତର ବୟସ୍କ ଲୋକଙ୍କ ପାଇଁ ହୋଇଛି ଅସହ୍ୟ

ନୂଆଦିଲ୍ଲୀ : ସମଗ୍ର ଦେଶରେ କୋଭିଡ୍-୧୯ ମହାମାରୀର ପ୍ରଭାବ ପରେ ଏବେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ବୟସ୍କ ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି। ଏକ ଅଣ-ଲାଭକାରୀ ସଂଗଠନ ‘ଏଜୱେଲ’ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି ।

ଅଧ୍ୟୟନ ଅନୁଯାୟୀ, ଭାରତର ପ୍ରତି ପାଞ୍ଚ ବୟସ୍କଙ୍କ ମଧ୍ୟରୁ ଚାରିଜଣ ଦରଦାମ୍ ବୃଦ୍ଧି ଦ୍ବାରା ପ୍ରଭାବିତ । ଅଧ୍ୟୟନରେ ୮୧ ପ୍ରତିଶତରୁ ଅଧିକ ବୃଦ୍ଧ କହିଛନ୍ତି ଯେ ମହଙ୍ଗା ମାଡ଼ ଯୋଗୁଁ ସେମାନଙ୍କ ସମସ୍ୟା ବଢୁଛି।

ଜୁଲାଇ ୨୦୨୦ରେ ‘ଭାରତରେ ବୟସ୍କ ଲୋକଙ୍କ ଉପରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ପ୍ରଭାବ’ (ସେମାନଙ୍କ ମାନବିକ ଅଧିକାର ଉପରେ ବିଶେଷ ପ୍ରଭାବ) ଶୀର୍ଷକ ଏହି ଅଧ୍ୟୟନ କରାଯାଇଥିଲା।

ଏହି ଅଧ୍ୟୟନରେ ୨୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ସାମାଜିକ-ଅର୍ଥନୈତିକ ଗୋଷ୍ଠୀର ୧୦,୦୦୦ ରୁ ଅଧିକ ବୟସ୍କ ବ୍ୟକ୍ତି ସାମିଲ ହୋଇଥିଲେ। ଏହି ଅଧ୍ୟୟନର ମୂଳ ଉଦ୍ଦେଶ୍ୟ ଥିଲା ଏହି ବର୍ଗ ଲୋକଙ୍କ ଆର୍ଥିକ ସ୍ଥିତି, ମାନସିକ ସମସ୍ୟା ଏବଂ ମାନବିକ ଅଧିକାର ଉପରେ ବଢୁଥିବା ଦରଦାମର ପ୍ରଭାବ ସମ୍ପର୍କରେ ଏକ ସାମାଜିକ-ଅର୍ଥନୈତିକ ପରିସ୍ଥିତି ଅନୁଧ୍ୟାନ କରିବା |

ଅଧ୍ୟୟନର ଅନୁସନ୍ଧାନ ଅନୁଯାୟୀ, ଦଶ ହଜାର ବୟସ୍କ ଲୋକଙ୍କ ମଧ୍ୟରୁ ୮୧.୪ ପ୍ରତିଶତ ତଥା ମୋଟ ୮,୧୪୨ ଲୋକ ଦାବି କରିଛନ୍ତି ଯେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ସେମାନେ ପ୍ରଭାବିତ ହୋଇଛନ୍ତି।

ଅଧ୍ୟୟନ ଅନୁଯାୟୀ, ନିମ୍ନ ମଧ୍ୟମ ଆୟ ଗୋଷ୍ଠୀର ୯୪ ପ୍ରତିଶତ ବୟସ୍କ ଲୋକ କହିଛନ୍ତି ଯେ ସେମାନେ ଦରଦାମ୍ ବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଛନ୍ତି । ମୁଦ୍ରାସ୍ଫୀତି ଦ୍ୱାରା ପ୍ରଭାବିତ ମଧ୍ୟମ ଆୟ, ଉଚ୍ଚ ମଧ୍ୟବିତ୍ତ, ଉଚ୍ଚ ଆୟ ବର୍ଗର ଉତ୍ତରଦାତାଙ୍କ ପ୍ରତିଶତ ଯଥାକ୍ରମେ ୮୬.୧ ପ୍ରତିଶତ, ୭୧.୯ ପ୍ରତିଶତ ଏବଂ ୨୬ ପ୍ରତିଶତ ଥିଲା।

ଅଧ୍ୟୟନ ଅନୁଯାୟୀ, ୨୬.୮ ପ୍ରତିଶତ ବୃଦ୍ଧ କହିଛନ୍ତି ଯେ ମୁଦ୍ରାସ୍ଫୀତି ବୃଦ୍ଧିରେ ସବୁଠାରୁ ବଡ କାରଣ ହେଉଛି ସାମଗ୍ରୀ ଏବଂ ସେବା ମୂଲ୍ୟ ବୃଦ୍ଧି।

୧୬.୫ ପ୍ରତିଶତ ବୟସ୍କଙ୍କ ଅନୁଯାୟୀ, କରୋନା କାରଣରୁ ଲକଡାଉନ୍, ସୁଧ ହାର ହ୍ରାସ, ଚାକିରି ହରାଇବା କିମ୍ବା ବ୍ୟବସାୟରେ କ୍ଷତି ପରି ବିଭିନ୍ନ କାରଣରୁ ସୀମିତ କିମ୍ବା କମ୍ ଆୟ ସେମାନଙ୍କ ଅସୁବିଧାର ମୁଖ୍ୟ କାରଣ ।

Comments are closed.