ମହିଳା ଟି-୨୦ ଚ୍ୟାଲେଞ୍ଜ: ଭେଲୋସିଟିକୁ ୪ ରନରେ ହରାଇ ସୁପରନୋଭାସ୍ ତୃତୀୟ ଥର ଚାମ୍ପିୟନ 

ଅହମ୍ମଦାବାଦ: ଡିଏଣ୍ଡ୍ରା ଡଟିନଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଶନିବାର ମହିଳା ଟି-୨୦ ଚ୍ୟାଲେଞ୍ଜର ଏକ ରୋମାଞ୍ଚକର ଫାଇନାଲରେ ଭେଲୋସିଟିକୁ ୪ ରନରେ ହରାଇ ସୁପରନୋଭାସ ତୃତୀୟ ଥର ପାଇଁ ଟାଇଟଲ୍ ହାସଲ କରିଛି । ଦୁଇଟି ଜୀବନଦାନର ସୁଯୋଗ ଉଠାଇ ୱେଷ୍ଟଇଣ୍ଡିଜ୍ ର ଡଟିନ୍ ୪୪ ବଲରେ ୬୨ ରନର ଆକ୍ରମଣାତ୍ମକ ଇନିଂସ ଖେଳିବା ସହ ଦୁଇଟି ୱିକେଟ୍ ମଧ୍ୟ ନେଇଥିଲେ | ପ୍ରଥମେ ବ୍ୟାଟିଂ କରି ସୁପରନୋଭାସ୍ ୭ ଓ୍ବିକେଟ୍ ବିନିମୟରେ ୧୬୫ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ଏହାର ଜବାବରେ ଲରା ଉଲଭାର୍ଟଙ୍କ ଅପରାଜିତ ୬୫ ର ସତ୍ତ୍ୱେ ଭେଲୋସିଟି ଦଳ ୮ ଓ୍ବିକେଟ୍ ହରାଇ ୧୬୧ ରନ୍ କରିବାକୁ ସମର୍ଥ ହୋଇଥିଲା।

ଭେଲୋସିଟି ଏକଦା ୧୧୭ ରନରେ ଆଠ ୱିକେଟ୍ ଅସୁବିଧାରେ ପଡିଥିଲା ​​କିନ୍ତୁ ଉଲଭାର୍ଟ ଏବଂ ୧୦ ନମ୍ବର ବ୍ୟାଟ୍ସମ୍ୟାନ୍ ସିମ୍ରନ୍ ଦିଲ ବାହାଦୂର (୧୦ ଟି ବଲରୁ ୨୦) ଅପରାଜିତ ୪୫ ରନ୍ ଭାଗିଦାରୀ ସହ ମ୍ୟାଚକୁ ରୋମାଞ୍ଚକର କରିଥିଲେ । ତଥାପି ଦଳ ଟାର୍ଗେଟରୁ ଚାରି ରନ୍ ଦୂରରେ ରହିଯାଇଥିଲା । ଡଟିନଙ୍କ ବ୍ୟତୀତ ଆଲାନା କିଙ୍ଗ ସୁପରନୋଭାସ୍ ତରଫରୁ ତିନୋଟି ୱିକେଟ୍ ନେଇଥିବାବେଳେ ସେଫି ଇକେଲଷ୍ଟନ୍ ଦୁଇଟି ୱିକେଟ୍ ପାଇଥିଲେ ।

Comments are closed.