ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂତନ ଯୋଜନାକୁ ନେଇ ବିବାଦ ପରେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଅଗ୍ନିପଥ ଯୋଜନାକୁ ବିହାର, ୟୁପି, ହରିୟାଣା ସମେତ ଅନେକ ରାଜ୍ୟରେ ଆଶାୟୀ ପ୍ରାର୍ଥୀ ମାନଙ୍କ ପକ୍ଷରୁ ହିଂସାତ୍ମକ ବିକ୍ଷୋଭ ହୋଇଥିଲା । ବିକ୍ଷୋଭକାରୀ ଅନେକ ଟ୍ରେନ୍ ପୋଡ଼ି ଦେଇଥିଲେ ।
ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରି ସୋମବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର ହୋଇଛି । ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ଯୋଜନା ଦ୍ବାରା ଅନେକ ଛାତ୍ରଙ୍କ ଭବିଷ୍ୟତ ବିପଦରେ ପଡ଼ିଛି । ବିଶେଷକରି ବାୟୁସେନା ପାଇଁ ପ୍ରସ୍ତୁତ ଯୁବକମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି । ଆବେଦନକାରୀ କହିଛନ୍ତି, ୨୦୧୭ ପରଠାରୁ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇଥିଲା। ଟ୍ରେନିଂ ପରେ ଛାତ୍ରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଏବେ ଏହି ଯୋଜନା (ଅଗ୍ନିପଥ) ଅଣାଯାଇଛି।
ଅଗ୍ନିପଥ ଯୋଜନା ବିରୋଧରେ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରେ ଶୁଣାଣି ପାଇଁ ଆବେଦନ ତାଲିକାଭୁକ୍ତ କରିବାକୁ ବେଞ୍ଚ ପକ୍ଷରୁ କୁହାଯାଇଛି।
ଏହା ପୂର୍ବରୁ ମଧ୍ୟ ଅଗ୍ନିପଥ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ଏ ସମ୍ବନ୍ଧରେ ଜୁନ୍ ୨୦ରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା | ଏଥିରେ ଅଗ୍ନିପଥ ଯୋଜନା ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବାତିଲ କରିବାକୁ ଦାବି ହୋଇଥିଲା। ସଂସଦର ଅନୁମୋଦନ ବିନା ଅଣାଯାଇଥିବା ଅଗ୍ନିପଥ ଯୋଜନା ଅସାମ୍ବିଧାନିକ ଏବଂ ବେଆଇନ। ତେଣୁ ସୁପ୍ରିମକୋର୍ଟ ଏହି ଯୋଜନାକୁ ବାତିଲ କରିବା ଉଚିତ୍ ବୋଲି ଆବେଦନକାରୀ ଓକିଲ ଏମ.ଏଲ୍ ଶର୍ମା ନିଜ ପିଟିସନରେ ଯୁକ୍ତି ବାଢ଼ିଥିଲେ।
Comments are closed.